ନୂଆଦିଲ୍ଲୀ: ଗୁଗଲ୍ ଯେ କେବେ ଅଲୋଡ଼ା ହୋଇଯିବ, କିଛି ବର୍ଷ ପୂର୍ବରୁ ତାହା କେହି ଭାବିପାରୁନଥିଲେ। ମାତ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦ୍ରୁତ ବିକାଶ ଏହି ଅସମ୍ଭବକୁ ସମ୍ଭବ କରିବାକୁ ଯାଉଛି। ଇଣ୍ଟରନେଟ୍ ଜଗତର ସର୍ବବୃହତ୍ ବ୍ରାଉଜର ଗୁଗଲ୍ର ଏକଚାଟିଆ ଆଧିପତ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଚାଟ୍ଜିପିଟି ଆଣିଥିବା ଆମେରିକୀୟ ସଂସ୍ଥା ଓପନ୍ଏଆଇ ନିଜର ବ୍ରାଉଜର ‘ଆଟ୍ଲାସ୍’ ଉନ୍ମୋଚନ କରିଛି। ଏହି ଖବର ପ୍ରଚାର ହେବା ପରେ ଗୋଟିଏ ଦିନରେ ଗୁଗଲ୍ର ବଜାର ମୂଲ୍ୟ ୧୩.୧୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଏହାର ମୂଳ କମ୍ପାନି ଆଲ୍ଫାବେଟ୍ର ସେୟାର ମୂଲ୍ୟ କମିଯିବାରୁ କମ୍ପାନି ଏହି କ୍ଷତି ସହିଛି।
ଓପନ୍ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ ଚାଟ୍ଜିପିଟି ଆଟ୍ଲାସ୍କୁ ଉନ୍ମୋଚନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବ୍ରାଉଜର୍ ମ୍ୟାକ୍ଓଏସ୍ ପାଇଁ ଉପଲବ୍ଧ କରାଯାଇଛି। ଚାଟ୍ଜିପିଟି ଆଟ୍ଲାସ୍ କୌଣସି ସାଧାରଣ ବ୍ରାଉଜର ନୁହେଁ। ଗୁଗଲ୍ କ୍ରୋମ୍ ଭଳି ଏହାକୁ କ୍ରୋମିୟମ୍ ପ୍ରଯୁକ୍ତି ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। କିନ୍ତୁ ଏହାର ପ୍ରତିଟି ୱେବ୍ପେଜ୍ରେ ଚାଟ୍ଜିପିଟିକୁ ସମନ୍ବିତ କରାଯାଇଛି। ଅର୍ଥାତ ଆପଣଙ୍କୁ ପ୍ରଶ୍ନ ପଚାରିବା ପାଇଁ ଗୋଟିଏ ଟ୍ୟାବ୍ରୁ ଅନ୍ୟ ଟ୍ୟାବ୍କୁ ଯିବାକୁ ପଡ଼ିବ ନାହିଁ କିମ୍ବା କପି-ପେଷ୍ଟ୍ କରିବାକୁ ପଡ଼ିବ ନାହିଁ। ଚାଟ୍ଜିପିଟି ଆଟ୍ଲାସ୍ର ଅନ୍ୟତମ ବିଶେଷତ୍ବ ହେଉଛି ଏଥିରେ ଥିବା ଏଜେଣ୍ଟ ମୋଡ୍। ଏହା ଲୋକମାନଙ୍କ ପାଇଁ ବିମାନ ଟିକଟ ବୁକିଂ କରିବା, ଉତ୍ପାଦ ସନ୍ଧାନ କରିବା ଏବଂ ଡକ୍ୟୁମେଣ୍ଟ ଏଡିଟ୍ କରିବା ଭଳି କଠିନ କାମକୁ ଅତି ସହଜରେ ନିଜେ କରିପାରିବ।