ନୂଆଦିଲ୍ଲୀ:  ଗୁଗୁଲ୍ ଚଳିତ ସପ୍ତାହରେ ଏହାର ନ୍ୟୁଜ୍‌ ଡିଭିଜନରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କୁ ଛଟେଇ କରିଛି। ଆଲଫାବେଟ୍‌ ୱାର୍କର୍ସ ୟୁନିୟନର ମୁଖପାତ୍ରଙ୍କ କହିବା ଅନୁସାରେ, ଗୁଗଲ୍ ନ୍ୟୁଜରେ କାର୍ଯ୍ୟରତ ଆନୁମାନିକ ୪୦ରୁ ୪୫ ଜଣ କର୍ମଚାରୀ ଚାକିରି ହରାଇଛନ୍ତି। ତେବେ, ଛଟେଇ ହୋଇଥିବା କର୍ମଚାରୀଙ୍କ ପ୍ରକୃତ ସଂଖ୍ୟା ସମ୍ପର୍କରେ ସେମାନେ ଅବଗତ ନଥିବା ବେଳେ ଏବେ ବି ଶତାଧିକ ଲୋକ ଏହି ନ୍ୟୁଜ୍‌ ପ୍ରଡକ୍ଟରେ କାମ କରୁଛନ୍ତି ବୋଲି ମୁଖପାତ୍ରଜଣକ ପ୍ରକାଶ କରିଛନ୍ତି।

Advertisment

ସିଏନ୍‌ବିସି ରିପୋର୍ଟ ଅନୁଯାୟୀ ଆଲଫାବେଟ୍‌ ୱାର୍କର୍ସ ୟୁନିୟନର ମୁଖପାତ୍ର କହିଛନ୍ତି, ‘‘‘ଆମେ  ଲାଇଭ୍‌ ନ୍ୟୁଜ୍ ଇକୋସିଷ୍ଟମ୍‌ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ  ଦୀର୍ଘମିଆଦୀ ନିବେଶ ଦିଗରେ କାର୍ଯ୍ୟରତ । ଆମ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆମେ କିଛି ଆଭ୍ୟନ୍ତରୀଣ ପରିବର୍ତ୍ତନ କରିଛୁ। ଅଳ୍ପ ସଂଖ୍ୟକ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଗୁଗୁଲ୍‌ ଓ ଏହା ବାହାରେ ନୂଆ ସୁଯୋଗ ଖୋଜୁଥିବା ସମସ୍ତଙ୍କୁ ଆମେ ଟ୍ରାନ୍‌ଜିସନ୍‌ ପିରିୟଡ୍‌, ଆଉଟେ୍‌ପ୍ଲସମେଣ୍ଟ୍‌ ସେବା ପ୍ରଦାନ ସହିତ ସମର୍ଥନ କରୁଛୁ।’’

ଗୁଗଲ୍‌ର ଜଣେ କର୍ମଚାରୀ ମଧ୍ୟ ନିକଟରେ ହୋଇଥିବା ଛଟେଇର ପ୍ରଭାବ ସଂପର୍କରେ ଲିଙ୍କଡଇନରେ ମତ ରଖିଛନ୍ତି । ସେ ଚାକିରିରୁ ବହିଷ୍କୃତ ବ୍ୟକ୍ତିମାନଙ୍କୁ ଭଲ କର୍ମଚାରୀ ବୋଲି  ବର୍ଣ୍ଣନା କରିଛନ୍ତି। ସେମାନଙ୍କ ବିନା ଆମେ ନିଶ୍ଚିତ ଭାବେ ଦୁର୍ବଳ ଅବସ୍ଥାରେ ରହିବୁ ବୋଲି ସେ ଲେଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଜନସାଧାରଣଙ୍କୁ ସଠିକ, ଲାଇଭ୍‌ ଓ ସବିଶେଷ ସୂଚନା ପ୍ରଦାନ କରିବା ପାଇଁ ଅନ୍‌ଲାଇନ୍‌ ପ୍ଲାଟଫର୍ମ ଉପରେ ଚାପ ପଡ଼ୁଥିବା ବେଳେ ବେଳେ ଏହି  ଛଟେଇ ହୋଇଛି। ଅନେକ ବ୍ୟକ୍ତି ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ (ପୂର୍ବର ଟ୍ଵିଟର) ଭଳି ଅନଲାଇନ୍‌ ପ୍ଲାଟଫର୍ମକୁ ମଧ୍ୟ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଷୟରେ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଷୟବସ୍ତୁ ପ୍ରସାରକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ତେବେ ଗୁଗଲ୍‌ କହିଛି ଯେ ସଦ୍ୟତମ ଛଟେଇ ଏହାର ନ୍ୟୁଜ୍‌ ଡିଭିଜନରେ କାର୍ଯ୍ୟର ଗୁଣବତ୍ତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।