ମହଙ୍ଗା ପଡ଼ିଲା ପିଏନ୍‌ବି ଠକେଇ:ଚାକିରି ଶେଷଦିନରେ ବରଖାସ୍ତ

ସବୁ ତଥ୍ୟ ସଂରକ୍ଷିତ ରଖୁଛି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ମାମଲାରେ ସିବିଆଇ ଜାଲରେ ଫସିଥିବା ଆହ୍ଲାବାଦ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଉଷା ଅନନ୍ତସୁବ୍ରମଣ୍ୟନ୍‌ଙ୍କୁ ସରକାର ଆଜି ଚାକିରିରୁ ବରଖାସ୍ତ କରିଛନ୍ତି। ସେ ଆଜି ଅବସର ନେବାକୁ ଥିବାବେଳେ ଚାକିରିର ଶେଷଦିନରେ ତାଙ୍କୁ ବରଖାସ୍ତ କରାଯାଇଛି। ଏଥିସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ମଧ୍ୟ ସରକାର ସିବିଆଇକୁ ଅନୁମତି ଦେଇଛନ୍ତି। ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ପିଏନ୍‌ବିରୁ କରିଥିବା ପ୍ରାୟ ୧୩ ହଜାର କୋଟି ଟଙ୍କାର ଠକେଇ ମାମଲାରେ ସିବିଆଇ ତାଙ୍କୁ ଦୋଷୀ ଦର୍ଶାଇବା ସହିତ ଅଭିଯୋଗଫର୍ଦ ଦାଖଲ କରିସାରିଛି। ସିବିଆଇ ଦୋଷୀ ଦର୍ଶାଇବା ପରେ କିଛିମାସ ପୂର୍ବେ ଆହ୍ଲାବାଦ ବ୍ୟାଙ୍କ ବୋର୍ଡ ଉଷାଙ୍କଠାରୁ ସମସ୍ତ ଦାୟିତ୍ୱ କାଢ଼ି ନେଇଥିଲେ। ତେବେ ତାଙ୍କୁ ବ୍ୟାଙ୍କରୁ ବିଦା କରାଯାଇ ନଥିଲା। କିନ୍ତୁ ସରକାର ଆଜି ତାଙ୍କୁ ଚାକିରିରୁ ବରଖାସ୍ତ କରିବା ସହିତ ତାଙ୍କ ବିରୋଧରେ ସିବିଆଇ ତଦନ୍ତକୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଉଷା ୨୦୧୧ ଜୁଲାଇରୁ ୨୦୧୩ ନଭେମ୍ବର ପର୍ଯ୍ୟନ୍ତ ପିଏନ୍‌ବିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଏବଂ ୨୦୧୫ ଅଗଷ୍ଟରୁ ୨୦୧୭ ମେ ମାସ ପର୍ଯ୍ୟନ୍ତ ଏମ୍‌ଡି ତଥା ସିଇଓ ରହିଥିଲେ। ଏହାପରେ ତାଙ୍କୁ ଆହ୍ଲାବାଦ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଭାବେ ନିଯୁକ୍ତି ଦିଆଯାଇଥିଲା। ପିଏନ୍‌ବିରେ ଏମ୍‌ଡି ତଥା ସିଇଓ ହେବା ପୂର୍ବରୁ ସେ ତତ୍କାଳୀନ ଭାରତୀୟ ମହିଳା ବ୍ୟାଙ୍କର ସିଏମ୍‌ଡି ମଧ୍ୟ ହୋଇଥିଲେ। ସିବିଆଇ ଏହି ମାମଲାରେ ଉଷାଙ୍କୁ ପଚରାଉଚରା କରିଥିଲା। ଉଷା ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପରିସଂଖ୍ୟାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି। ପଢ଼ା ଶେଷହେବା ପରେ ସେ ୧୯୮୨ ମସିହାରେ ବ୍ୟାଙ୍କ ଅଫ ବରୋଦାରେ ଜଣେ ସ୍ପେସାଲିଷ୍ଟ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।
ପିଏନ୍‌ବିର କାର୍ଯ୍ୟନିର୍ବାହୀ ନିର୍ଦେଶକ କେ. ଭି. ବ୍ରହ୍ମାଜି ରାଓ ଏବଂ ସଞ୍ଜୀବ ସରନ୍‌ ଏବଂ ଜେନେରାଲ ମ୍ୟାନେଜର ନେହଲ ଅହଦ୍‌ଙ୍କ ନାମ ମଧ୍ୟ ଏହି ମାମଲାରେ ସିବିଆଇର ଅଭିଯୋଗ ଫର୍ଦରେ ରହିଛି।
ଉଷାଙ୍କ ବିରୋଧରେ ରାଷ୍ଟ୍ରପତି ଦେଇଥିବା ମଞ୍ଜୁରିକୁ ସିବିଆଇ କୋର୍ଟ ସଂଜ୍ଞାନକୁ ନେଇଛନ୍ତି। ଉଷାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯ (୧) (କ) ଏବଂ ସିଆର୍‌ପିସିର ଧାରା ୧୯୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ମଞ୍ଜୁରି ଦେଇଛନ୍ତି ବୋଲି ସିବିଆଇ ଓକିଲ ସୂଚନା ଦେଇଛନ୍ତି। ସିବିଆଇ କୋର୍ଟ ଏବେ ଏହି ମାମଲାରେ ଆଗକୁ ବଢ଼ିବେ। ଉଷା ମଧ୍ୟ ଆବଶ୍ୟକ ସମୟରେ କୋର୍ଟରେ ହାଜର ହେବେ। ତାଙ୍କ ବିରୋଧରେ ମାମଲାର ବିଚାର ଆରମ୍ଭ ହୋଇପାରିବ।
ଉଷା ଅନନ୍ତସୁବ୍ରମଣ୍ୟନ୍‌ଙ୍କ ସମେତ ଅନ୍ୟ କେତେକ ବ୍ୟାଙ୍କର ଉଚ୍ଚ ପଦରେ ଥିବା ମହିଳା ଅଧିକାରୀମାନେ ବିବାଦ ଘେରକୁ ଆସି ସାରିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ଏବଂ ଏକ୍ସିସ ବ୍ୟାଙ୍କର ସିଇଓ ଶିଖା ଶର୍ମା ଅଡ଼ୁଆରେ ପଡ଼ି ସାରିଛନ୍ତି। ଭିଡିଓକନ୍‌ ଗ୍ରୁପ୍‌କୁ ଋଣ ପ୍ରଦାନରେ ଅନୁକମ୍ପା ପ୍ରଦାନ ନେଇ ଆସିଥିବା ଅଭିଯୋଗ ପ୍ରସଙ୍ଗରେ ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚର ଏବେ ଛୁଟିରେ ଅଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଏବେ ଚାଲିଛି। ସେହିଭଳି ଏକ୍ସିସ ବ୍ୟାଙ୍କର ଶିଖା ଶର୍ମାଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ରିଜର୍ଭ ବ୍ୟାଙ୍କ ପ୍ରଶ୍ନ ଉଠାଇବା ପରେ ସେ ଆସନ୍ତା ଡିସେମ୍ବରରେ ଏହି ପଦରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର