ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ପ୍ରତିଷ୍ଠିତ କମ୍ପାନିଗୁଡ଼ିକର ସିଇଓମାନଙ୍କ ସହ ସେମାନଙ୍କ ଭାରତର ଯୋଜନା ଉପରେ ଏକ ରାଉଣ୍ଡଟେବୁଲ୍ ବୈଠକରେ ଆଲୋଚନା କରିଛନ୍ତି। ଭାରତରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ନିବେଶ କରିବାକୁ ଗୁଗଲ୍‌ ଓ ଏନ୍‌ଭିଡିଆ ଆଗ୍ରହ ପ୍ରକାଶ କରିଥିବା ବୈଠକରୁ ଜଣାପଡ଼ିଛି। ଏନ୍‌ଭିଡିଆର ସିଇଓ ଜେନ୍‌ସେନ୍ ହୁଆଙ୍ଗ କହିଛନ୍ତି ଯେ ଏଆଇ ଓ ଭାରତରେ ତାହାର ସମ୍ଭାବନା ବିଷୟରେ ଜାଣିବାକୁ ପ୍ରଧାନମନ୍ତ୍ରୀ ମୋଦୀ ବେଶ୍ ଉତ୍ସୁକ। ତାଙ୍କୁ ଭେଟି ବହୁତ ଖୁସି ଲାଗିଲା। ଶିଖିବାକୁ ସେ ସବୁବେଳେ ଚାହାନ୍ତି।

Advertisment

ଏଆଇ କ୍ଷେତ୍ରରେ ଭାରତ ସହ ଆମର ରହିଥିବା ସହଯୋଗିତାକୁ ଆମେ ଆଗକୁ ବଢ଼ାଇବାକୁ ଚାହୁଛୁ ବୋଲି ସେ କହିଛନ୍ତି। ପ୍ରତି ଆଇଆଇଟିରେ ରହିଛି ଏନ୍‌ଭିଡିଆ ଉତ୍କର୍ଷ କେନ୍ଦ୍ର। ଭାରତକୁ ପ୍ରଶଂସା କରି ସେ କହିଛନ୍ତି ଯେ ଏହା ହେଉଛି ଭାରତର ସମୟ ଓ ତାହାକୁ ହାସଲ କରିବାର ଆବଶ୍ୟକତା ରହିଛି। ଗୁଗଲ୍‌ର ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ କୃଷି କ୍ଷେତ୍ର‌ରେ ପ୍ରଯୁକ୍ତିର ପ୍ରୟୋଗ ପାଇଁ ଆହ୍ବାନ ଦେଇଛନ୍ତି। ଭାରତରେ ଆମେ ଏଆଇ କ୍ଷେତ୍ରରେ ନିବେଶ କରିଥିବା ବେଳେ ଆଗକୁ ଆହୁରି କାମ କରିବାକୁ ଚାହୁଛୁ ବୋଲି ସେ କହିଛନ୍ତି। ଏହି ବୈଠକରେ ଆକ୍ସେଞ୍ଚର, ଆଡୋବ୍, ଏଏମ୍‌ଡି, ବାୟୋଜେନ୍, ବ୍ରିଷ୍ଟଲ ‌ଆୟର୍ସ ସ୍କ୍ବିବ୍, ଏଲି ଲିଲି, ଗୁଗୁଲ୍‌, ଏଚ୍‌ପି, ଆଇବିଏମ୍, ଭେରିଜନ୍, ମଡର୍ଣ୍ଣା, ଏନ୍‌ଭିଡିଆ ଓ କାଇଣ୍ଡ୍ରିଲ୍‌ର ସିଇଓ ଅଂଶଗ୍ରହଣ କରିଥିଲେ।