ଆପଣଙ୍କ ଫୋନରେ ଏହି ୧୩ଟି ଆପ୍‌ ଇନ୍‌ଷ୍ଟଲ ଅଛି କି? ବ୍ୟାଙ୍କ ଡାଟା ଚୋରି ହେବାର ଆଶଙ୍କା ରହିଛି

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ବ୍ୟାଙ୍କ ଡ଼ାଟା ଚୋରି ହେବା ଖବର କିିଛି ନୂଆ ନୁହେଁ । ପୂର୍ବରୁ ଏମିତି ଅନେକ ଘଟଣା ଘଟିଛି,ଯେଉଁଠି ବ୍ୟାଙ୍କର ଅନ୍‌ଲାଇନ୍‌ ସାଇଟ୍‌ର ବ୍ୟବହାର କରିବା ଜମାକାରୀଙ୍କୁ ଭାରୀ ପଡ଼ିଛି । କିଛି ଲୋକ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗର ବ୍ୟବହାର କରି ଠକାମିର ଶିକାର ହୋଇଥିବା ବେଳେ କିଛି ନକଲି ଫୋନ କଲ୍‌ର ଶିକାର ହୋଇ ସଞ୍ଚୟ କରିଥିବା ଟଙ୍କା ହରାଇଛନ୍ତି । ଏବେ ମୋବାଇଲରେ ଇନ୍‌ଷ୍ଟଲ ଥିବା ଆପ୍‌ ମାଧ୍ୟମରେ ମଧ୍ୟ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଉଥିବା ଜଣା ପଡ଼ିଛି । ଏ ନେଇ ଗୁଗଲ ନିଜ ପ୍ଲେ ଷ୍ଟୋରରୁ ୧୩ଟି ଆପ୍‌ ହଟାଇ ଦେଇଥିବା ଜଣା ପଡ଼ିଛି । ଏହି ଆପ୍‌ ଗୁଡ଼ିକ ଡ଼ିଭାଇସ୍‌ରେ ମାଲେଓ୍ଵର ଇନ୍‌ଷ୍ଟଲ କରୁଥିବାରୁ ଏହାକୁ ହଟାଇ ଦେଇଛି ଗୁଗଲ । ଟୁଇଟରରେ ଏ ନେଇ ଇଏସ୍‌ଇଟି ସିକ୍ୟୁରିଟି ରିସଚର୍ସ ଲୁକାସୋ ଷ୍ଟେଫାକୋ ସୂଚନା ଦେବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଏ ପର୍ଯ୍ୟନ୍ତ ହଟାଯାଇଥିବା ୧୩ଟି ଆପ୍‌କୁ ୫,୬୦,୦୦୦ଲୋକ ନିଜ ନିଜର ଫୋନରେ ଇନ୍‌ଷ୍ଟଲ କରିଥିବା ସୂଚନା ମିଳିଛି । ଯେଉଁ ଆପ୍‌ରେ ମାଲେଓ୍ଵର ଇନ୍‌ଷ୍ଟଲ କରିବାର ଆରୋପ ଲାଗିଛି, ସେହି ଆପ୍‌ ମଧ୍ୟରେ ‘ଟ୍ରକ୍‌ କାର୍ଗୋ ସିମ୍ୟୁଲେଟର’, ‘ଏକ୍ସଟ୍ରିମ୍‌ କାର୍‌ ଡ଼୍ରାଇଭିଙ୍ଗ୍‌’ ଏବଂ ‘ହାଇପର କାର୍‌ ଡ଼୍ରାଇଭିଙ୍ଗ ସିମ୍ୟୁଲେଟର’ ଇତ୍ୟାଦିର ନାମ ରହିଥିବା ସ୍ପଷ୍ଟ କରାଯାଇଛି ।

ଏହି ଆପ୍‌ଗୁଡ଼ିକ ବ୍ୟବହାରକାରୀଙ୍କୁ ଏପିକେ ଗେମ୍‌ ସେଣ୍ଟର ଇନ୍‌ଷ୍ଟଲ କରିବା ପାଇଁ ଉତ୍ସାହିତ କରିଥାଏ । ଏହି ଆପ୍‌ ଇନ୍‌ଷ୍ଟଲ କରାଯିବା ପରେ ଏହା ଚୁପ୍‌ ଚାପ୍‌ ନିଜର କାମ କରିଥାଏ । ଫୋନରେ ରହି ଏହା ବ୍ୟବହାରକାରୀଙ୍କ ସବୁ ଗତିବିଧି ଉପରେ ନଜର ରଖିବା ସହ ବ୍ୟବହାରକାରୀଙ୍କ ସହ ଜଡ଼ିତ ସବୁ ସୂଚନା ଜାଣି ନେଇଥାଏ । ଏହି ଆପ୍‌ ମାଧ୍ୟମରେ ବ୍ୟାଙ୍କ ଡ଼ାଟା ଚୋରି ହେବାର ଆଶଙ୍କା ରହିଛି ବୋଲି ଜାଣିବା ପରେ ଏହାକୁ ପ୍ଲେ ଷ୍ଟୋରରୁ ହଟାଇଛି ଗୁଗଲ ।

 

ସମ୍ବନ୍ଧିତ ଖବର