ନୂଆଦିଲ୍ଲୀ: ବ୍ୟାଟେରିରୁ ଶୀଘ୍ର ଚାର୍ଜ ଶେଷ କରୁଥିବା ଏବଂ ଅଧିକ ଡାଟା ବ୍ୟବହାର କରୁଥିବା ୧୬ଟି ଆପ୍କୁ ପ୍ଲେ ଷ୍ଟୋର୍ରୁ ଗୁଗୁଲ୍ ହଟାଇ ଦେଇଛି। ଏହି ଆପ୍ଗୁଡ଼ିକୁ ୨୦ ନିୟୁତରୁ ଅଧିକ ଥର ଡାଉନ୍ଲୋଡ୍ କରାଯାଇଛି। ଅର୍ସ ଟେକ୍ନିକା ନାମକ ନିରାପତ୍ତା ସଂସ୍ଥା ଜଣାଇଛି ଯେ ମ୍ୟାକାଫେ ପକ୍ଷରୁ ଚିହ୍ନଟ କରାଯାଇଥିବା ୧୬ଟି ଆପ୍କୁ ଗୁଗୁଲ୍ ଏହାର ପ୍ଲେ ଷ୍ଟୋର୍ରୁ ହଟାଇଛି। ସେହି ଆପ୍ଗୁଡ଼ିକ ହେଉଛି ହାଇ-ସ୍ପିଡ୍ କ୍ୟାମେରା, ସ୍ମାର୍ଟ ଟାସ୍କ ମ୍ୟାନେଜର, ଫ୍ଲାସ୍ଲାଇଟ୍+, ମେକୋକ୍ୟାଲେଣ୍ଡର, ୮କେ-ଡିକ୍ସିନାରି, ବୁସାନବସ୍, କ୍ବିକ୍ ନୋଟ୍, କରେନ୍ସି କନଭର୍ଟର, ଜୟ କୋଡ୍, ଏଜ୍ଡିକା, ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଡାଉନ୍ଲୋଡର ଏବଂ ଇଜେଡ୍ ନୋଟ୍ସ ଆଦି।
ଏହି ଆପ୍ଗୁଡ଼ିକ ବିଜ୍ଞାପନ ଠକେଇ କରୁଥିଲେ। ସେଥିରେ ଥିବା ଡାଉନ୍ଲୋଡ୍ କୋଡ୍ ଜରିଆରେ ସେମାନେ ବିଭିନ୍ନ ୱେବସାଇଟ୍ରେ ପ୍ରବେଶ କରି ଲିଙ୍କ୍ ଏବଂ ବିଜ୍ଞାପନରେ କ୍ଲିକ୍ କରୁଥିଲେ। ଗ୍ରାହକମାନଙ୍କୁ କୌଣସି ପ୍ରକାର ନୋଟିଫିକେସନ ନପଠାଇ ସେମାନେ ଏହି କାମ କରୁଥିଲେ। ଏଭଳି ବେଆଇନ ଉପାୟରେ କାମ କରି ସେମାନେ ବିଜ୍ଞାପନ ଦେଉଥିବା ସଂସ୍ଥାଙ୍କୁ ଏହି ବିଶ୍ବାସ ଦେଉଥିଲେ ଯେ ଅଧିକ ଲୋକ ସେମାନଙ୍କ ବିଜ୍ଞାପନକୁ ଦେଖୁଛନ୍ତି। ଏହା ଜଣାପଡ଼ିବା ପରେ ଗୁଗୁଲ୍ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେହି ଆପ୍ଗୁଡ଼ିକୁ ପ୍ଲେ ଷ୍ଟୋର୍ରୁ ହଟାଇ ଦେଇଛି। ଆପ୍ଗୁଡ଼ିକ ‘ୟୁଟିଲିଟି’ ବର୍ଗରେ ଥିଲା।