ନୂଆଦିଲ୍ଲୀ: ଗୁଗୁଲ୍ ଏବେ ଆକ୍ସନ ମୁଡ୍ରେ ରହିଛି। ପୂର୍ବରୁ ଗୁଗୁଲ୍ ଅନେକ ଆପ୍କୁ ବ୍ୟାନ୍ କରିସାରିଛି। ଏବେ ଗୁଗୁଲ୍ ପାଖାପାଖି ୯ ଲକ୍ଷ ଆପ୍କୁ ବ୍ୟାନ୍ କରିବାର ଯୋଜନା କରୁଛି। ହୋଇପାରେ ଏହି ସବୁ ଆପ୍ ଭିତରୁ କିଛି ଆପ୍ ଆପଣ ଡାଉନଲୋଡ୍ କରିଥାଇ ପାରନ୍ତି। ଏଥିପାଇଁ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏପରି ଯୋଜନା କରିଥିବା ଜାଣିବାକୁ ମିଳିଛି।
ଗୁଗୁଲ୍ ପ୍ଲେ ଷ୍ଟୋର୍ରୁ ପ୍ରାୟ ୯ ଲକ୍ଷ ଆପ୍ ହଟାଇବାର ଯୋଜନା ହେଉଛି। ଯାହାର ଅପ୍ଡେଟ୍ ଏବେ ସୁଦ୍ଧା ଜାରି କରାଯାଇ ନାହିଁ। ଆଣ୍ଡ୍ରଏଡ୍ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ଏପରି କରିବା ଦ୍ବାରା ଗୁଗୁଲ୍ ପ୍ଲେ ଷ୍ଟୋର୍ରୁ ପ୍ରାୟ ଏକ ତୃତୀୟାଂଶ ଆପ୍ ହଟିଯିବ।
ଏହା ପୂର୍ବରୁ ଆପେଲ୍ ବି ନିଜ ପ୍ଲେ ଷ୍ଟୋର୍ରୁ କିଛି ଆପ୍ ହଟାଇବାର ନିଷ୍ପତ୍ତି ନେଇଥିଲା। ଆପେଲ୍ ସେ ସବୁ ଆପ୍ ନିର୍ମାତାଙ୍କୁ ଇମେଲ୍ ପଠାଇ ଏ ସଂପର୍କରେ ସୂଚୀତ ବି କରାଇଥିଲା।
ସିନେଟ୍ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗୁଗୁଲ୍ ଓ ଆପେଲ୍ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନେଇଛନ୍ତି। ଗୁଗୁଲ୍ ସେହି ସବୁ ଆପ୍କୁ ନିଜ ପ୍ଲେ ଷ୍ଟୋର୍ରୁ ହଟାଇ ଦେବ। ଯଦିଓ ଏହାର ଅପ୍ଡେଟ୍ ଏପର୍ଯ୍ୟନ୍ତ ଜାରି ହୋଇନାହିଁ, ମାତ୍ର ବ୍ୟବହାରକାରୀ ଏହାକୁ ଡାଉନ୍ଲୋଡ୍ କରିପାରିବେ ନାହିଁ। ପୁରୁଣା ଆପ୍ଗୁଡ଼ିକର ସୁରକ୍ଷା ଦୃଷ୍ଟିରୁ ଆଣ୍ଡ୍ରଏଡ୍ ଓ ଆଇଓଏସ୍ରେ ଏହି ପରିବର୍ତ୍ତନ ଅଣାଯାଇଛି।