୬୦୦ ଇ-ମେଲ୍‌ ପଠାଇବା ପରେ ମିଳିଥିଲା ବିଶ୍ବବ୍ୟାଙ୍କ ଚାକିରି: ୮୦ରୁ ଅଧିକ କଲ୍‌ କରିଥିଲେ

ନୂଆଦିଲ୍ଲୀ: ଆମେରିକାରେ ପାଠପଢ଼ି ଚାକିରି ପାଇଥିବା ଜଣେ ୨୩ ବର୍ଷୀୟ ଭାରତୀୟ ଯୁବକ ଭଟସାଲ୍ ନାହାଟାଙ୍କ କାହାଣୀ ବେଶ ପ୍ରେରଣାଦାୟୀ। ଚାକିରି ପାଇବା ପର୍ଯ୍ୟନ୍ତର ସଂଘର୍ଷ କାହାଣୀକୁ ସେ ବୃତ୍ତିଧାରୀଙ୍କ ନେଟ୍‌ୱର୍କିଂ ସାଇଟ୍‌ ଲିଙ୍କଡ୍‌ଇନ୍‌ରେ ‌େପାଷ୍ଟ କରିଛନ୍ତି। ସେ ଜଣାଇଛନ୍ତି ଯେ ଆମେରିକାର ୟେଲ୍‌ ବିଶ୍ବବିଦ୍ୟାଳୟରେ ତାଙ୍କ ପାଠପଢ଼ା ଶେଷ ହେବାକୁ ଆଉ କିଛି ମାସ ବାକି ଥିବା ବେଳେ ସାରା ବିଶ୍ବରେ କୋଭିଡ୍ ମହାମାରୀ ବ୍ୟାପିବା ସହ କଠୋର ଲକ୍‌ଡାଉନ୍ ଘୋଷଣା ହୋଇଥିଲା। ତାହାକୁ ନେଇ ସେ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିଲେ। ଯେଉଁ ସମୟରେ ସାରା ବିଶ୍ବରେ ‌ବ୍ୟାପକ ଛଟେଇ ଚାଲିଥିଲା ସେତେବେଳେ ସେ ନୂଆ ଚାକିରି ଖୋଜିବାକୁ ବାହାରିଥିଲେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇମିଗ୍ରେସନ ନିୟମକୁ କଡ଼ାକଡ଼ି କରିବା ପରେ ତାଙ୍କୁ ଚାକିରି ମିଳିବା ଅଧିକ କଷ୍ଟକର ହୋଇଥିଲା। କୌଣସି ସଂସ୍ଥା ତାଙ୍କ ଭିସାର ପ୍ରାୟୋଜକ ହେବାକୁ ଚାହୁନଥିଲେ। କିନ୍ତୁ ହାର ମାନିନଥିଲେ। ସମ୍ଭାବ୍ୟ ନିଯୁକ୍ତିଦାତାଙ୍କ ପାଖରେ ପହଞ୍ଚିବା ଲାଗି ସେ ୬୦୦ରୁ ଅଧିକ ଇ-ମେଲ୍ ପଠାଇଛନ୍ତି ଓ ୮୦ ଥର ବିଭିନ୍ନ ସଂସ୍ଥାକୁ କଲ୍‌ କରିଛନ୍ତି। ଦିନକୁ ସେ ପ୍ରାୟ ଦୁଇଟି ମେଲ୍‌ ପଠାଉଥିଲେ। ତାଙ୍କର ସେହି ପରିଶ୍ରମ ବୃଥା ଯାଇନଥିଲା। ଚାରିଟି ସଂସ୍ଥାରୁ ତାଙ୍କୁ ଚାକିରି ପାଇଁ ପ୍ରସ୍ତାବ ମିଳିଥିଲା। ସେଥିରୁ ଗୋଟିଏ ସଂସ୍ଥା ଥିଲା ବିଶ୍ବବ୍ୟାଙ୍କ। ସେ କହିଛନ୍ତି ଯେ କେବେବି ହତାଶ ହୋଇ ଉଦ୍ୟମ ବନ୍ଦ କରିବା ଠିକ୍ ନୁହେଁ। ଉଦ୍ୟମ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ। ସେହି ବାର୍ତା ନିଯୁକ୍ତି ଆଶାୟୀଙ୍କୁ ଦେବା ଲାଗି ନିଜ କାହାଣୀକୁ ବର୍ଣ୍ଣନା କରିଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ସେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାଇଁ କାମ କରୁଛନ୍ତି।

ସମ୍ବନ୍ଧିତ ଖବର