ଏୟାର ଇଣ୍ଡିଆକୁ କିଣିପାରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ : ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ପ୍ରବାସୀ ଭାରତୀୟମାନେ କିଣିପାରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ କମିଟି ବୈଠକରେ ଏସଂକ୍ରାନ୍ତୀୟ ଏକ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏୟାର ଇଣ୍ଡିଆର ୧୦୦% ଅଂଶଧନ କିଣିବା ଲାଗି ପ୍ରବାସୀ ଭାରତୀୟଙ୍କୁ ଅନୁମତି ପ୍ରଦାନ କରାଯାଇଛି। ପୂର୍ବ ନିୟମ ଅନୁସାରେ ପ୍ରବାସୀ ଭାରତୀୟଙ୍କ ପାଇଁ ଏୟାର ଇଣ୍ଡିଆର ୪୯% ଅଂଶଧନ କିଣିବାର ଅନୁମତି ରହିଥିଲା। କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ ଚାହୁଛନ୍ତି। ଏଥିପାଇଁ ବିଡ୍‌ ମଧ୍ୟ ଆହ୍ବାନ କରିଛନ୍ତି।

ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ପ୍ରବାସୀ ଭାରତୀୟ ୧୦୦% ଭାବେ ଏୟାର ଇଣ୍ଡିଆକୁ କିଣିପାରିବେ। କିନ୍ତୁ ବିଦେଶୀ କଂପାନି ଅତିବେଶିରେ କଂପାନିର ୪୯% ଅଂଶଧନ ନେଇପାରିବେ। ଏୟାର ଇଣ୍ଡିଆକୁ ଭାରତୀୟ କଂପାନି ଭାବେ ରଖିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏୟାର ଇଣ୍ଡିଆକୁ କିଣିବା ବିଷୟରେ ଟାଟା ଗ୍ରୁପ୍‌ର ବିମାନ କଂପାନି ଭିସ୍ତାରା ଆଗ୍ରହ ପ୍ରକାଶ କରିଛି। ଆଉ କିଛି କଂପାନି ମଧ୍ୟ ବିଡ୍ ଦାଖଲ କରିବା ବି‌ଷୟରେ ବିଚାର କରୁଛନ୍ତି। ବିଦେଶରେ ବସବାସ କରୁଥିବା ଧନୀ ଭାରତୀୟଙ୍କ ଠାରୁ ବିଡ୍ ହାସଲ କରିବା ଲାଗି ସରକାର ଆଜି ପ୍ରବାସୀ ଭାରତୀୟଙ୍କ ପାଇଁ ୧୦୦% ନିବେଶ ଅନୁମତି ପ୍ରଦାନ କରିଥିବା କୁହାଯାଉଛି।

କଂପାନି ନିୟମରେ ୭୨ ସଂଶୋଧନ
ନୂଆଦିଲ୍ଲୀ : କଂପାନି ନିୟମରେ କରାଯାଇଥିବା ୭୨ ପ୍ରକାର ସଂଶୋଧନକୁ ଆଜି କ୍ୟାବିନେଟ୍‌ର ମଞ୍ଜୁରି ମିଳିଛି। ଅପରାଧକୁ ନେଇ ରହିଥିବା ଅନେକ ଧାରାକୁ ବଦଳାଇ ଦିଆଯାଇଛି। ମୋଟ ୬୬ ପ୍ରକାର ମିଶ୍ରଣଯୋଗ୍ୟ ଅପରାଧ ମଧ୍ୟରୁ ୨୩ ପ୍ରକାର ଅପରାଧର ପୁନଃ ବର୍ଗୀକରଣ କରାଯାଇଛି। ସାତ ପ୍ରକାର ମିଶ୍ରଣଯୋଗ୍ୟ ଅପରାଧକୁ ଉଚ୍ଛେଦ କରାଯାଇଛି। ବିଭିନ୍ନ ଅପରାଧ ପାଇଁ ରହିଥିବା ଜେଲ ଦଣ୍ଡ ବ୍ୟବସ୍ଥାକୁ ସରକାର ଉଚ୍ଛେଦ କରିବାକୁ ଚାହୁଥିବା ବେଳେ ଜରିମାନା ରାଶି ପରିମାଣ ମଧ୍ୟ କମାଇବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପଚାଶ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ସିଏସ୍‌ଆର୍‌ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ସିଏସ୍‌ଆର୍‌ କମିଟି ଗଠନ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର