ଭୁବନେଶ୍ବର: ‌ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ଖର୍ଚ୍ଚଦାବି ପ୍ରସ୍ତାବ ପଠାଇବାକୁ କୁହାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ପ୍ରଶାସନିକ ଖର୍ଚ୍ଚଦାବିକୁ ଅର୍ଥ ବିଭାଗକୁ ପଠାଇବାକୁ କୁହାଯାଇଛି। ତେବେ କାର୍ଯ୍ୟକ୍ରମ ବ୍ୟୟ ସମ୍ପର୍କିତ ପ୍ରସ୍ତାବକୁ ପ୍ରଥ‌ମେ ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବା ପରେ ସେଠାରୁ ଅନୁମୋଦନ ମିଳିଲେ ଅର୍ଥ ବିଭାଗକୁ ‌ଦେବାକୁ କୁହାଯାଇଛି। ଧାର୍ଯ୍ୟ ସମୟ ସୀମା ଶେଷ ହେବା ପରେ ଆସିବାକୁ ଥିବା ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯିବ ନାହିଁ। ‌ ଏନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ସବୁ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, କମିସନର ତଥା ସଚିବ ଓ ସଚିବମାନଙ୍କୁ ଏକ ଚିଠି ଲେଖିଛନ୍ତି। 

Advertisment

ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଅଟକଳର ଖର୍ଚ୍ଚ ୪୦ ପ୍ରତିଶତରୁ କମ୍ ରହିଥିବା ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ। ଚଳିତ ଆର୍ଥିକ ବର୍ଷର ବଜେଟ୍‌ରେ ରାଜ୍ୟ ସରକାର ଅନ୍ନଦାତା, ସମୃଦ୍ଧି, ସମାନତା, ସୁସ୍ଥ ଓଡ଼ିଶା, ଜଳବାୟୁ ପ୍ରସ୍ତୁତ ଓଡ଼ିଶା, ନବସୃଜନ, ସନ୍ତୁଳିତ ଆଞ୍ଚଳିକ ବିକାଶ, ସୁଶାସନ ଓ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦେଇଥିଲେ। ତେଣୁ ଅତିରିକ୍ତ ଖର୍ଚ୍ଚଦାବି ପ୍ରସ୍ତାବ ଦେବା ବେଳେ ଏହି ଅଗ୍ରାଧିକାର କ୍ଷେତ୍ରଗୁଡ଼ିକୁ ବିଚାରକୁ ନେବାକୁ ବିଭାଗଗୁଡ଼ିକୁ କୁହାଯାଇଛି। 

କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ଅତିରିକ୍ତ ଖର୍ଚ୍ଚଦାବି ପ୍ରସ୍ତାବକୁ ବିଭାଗଗୁଡ଼ିକ ବଢ଼ାଇଚଢ଼ାଇ ଉପସ୍ଥାପନ କରନ୍ତି ଏବଂ ବର୍ଷ ଶେଷ ବେଳକୁ ତାହାକୁ ଖର୍ଚ୍ଚ କରି ନପାରି ଫେରାଇଥାନ୍ତି। ସେଥିପାଇଁ ବାସ୍ତବରେ ଯେତିକି ଟଙ୍କା ଦରକାର ସେତିକି ମାଗିବା ଲାଗି ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବେତନ, ମହଙ୍ଗା ଭତ୍ତା, ଘରଭଡ଼ା, ବିଦ୍ୟୁତ୍‌ ବିଲ୍‌ ଦେୟ, ଜଳ କର ଏବଂ ମୁନସିପାଲିଟି ଦେୟ ଆଦି ସମ୍ପର୍କିତ ପ୍ରସ୍ତାବକୁ କେବଳ ଯେତିକି ଅଭାବ ରହିଛି, ସେଥିପାଇଁ ଦାବି ଉପସ୍ଥାପନ କରିବାକୁ କୁହାଯାଇଛି। ଏହି ଚିଠିରେ ଅର୍ଥ ବିଭାଗ ପକ୍ଷରୁ ସୂଚିତ କରାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ ଅନୁସାରେ ୨୦୨୫-୨୬ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭ ପ୍ରତିଶତ ଓ ଓଡ଼ିଶାର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ରାଜ୍ୟର ରାଜସ୍ବ ସଂଗ୍ରହରେ ବୃଦ୍ଧି ଗତବର୍ଷ ତୁଳନାରେ ୨ ପ୍ରତିଶତ ଅଧିକ ରହିଛି। ସେହି ସମୟ ସୁଦ୍ଧା ମୋଟ୍‌ ବ୍ୟୟ ବଜେଟ୍‌ ଅଟକଳର ୩୪ ପ୍ରତିଶତ ରହିଛି। ଆମେରିକା ସରକାର ଲଗାଇଥିବା ଶୁଳ୍କ ଏବଂ ନିକଟରେ ଜିଏସ୍‌ଟିରେ କରାଯାଇଥିବା ସଂସ୍କାରକୁ ଦୃଷ୍ଟିରେ ରଖି ରାଜସ୍ବ ଆଦାୟ ଉପରେ ନଜର ରଖିବା ଏବଂ ବ୍ୟୟକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦିଆଯାଇଛି।