ବିମାନ ଟିକେଟ୍‌ ବାତିଲ ଦେୟ ୩୦୦୦ ଟଙ୍କାରୁ କମ୍‌ କରିବାକୁ ଏୟାର ଲାଇନ୍ସଙ୍କୁ କହିଲେ ସରକାର

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କଠାରୁ ଚଢାଦରର ଟିକେଟ ବାତିଲ ଦେୟ ନ ନେବାକୁ କେନ୍ଦ୍ର ସରକାର ବିମାନ ପରିବହନକାରୀ ସଂସ୍ଥାଙ୍କୁ କହିଛନ୍ତି। କେତେକ ଏୟାରଲାଇନ୍ସ ଟିକେଟ୍‌ ବାତିଲ୍‌ କରୁଥିବା ଯାତ୍ରୀଙ୍କଠାରୁ ୩୦୦୦ ଟଙ୍କାର ଦେୟ ନେଉଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏହା ମାତ୍ରାଧିକ ବୋଲି ସରକାର ଅନୁଭବ କରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିମାନ ଟିକେଟ୍‌ ବାତିଲ୍‌ ଲାଗି ଯେଉଁ ଫି ଏୟାର ଲାଇନ୍ସମାନେ ଆଦାୟ କରୁଛନ୍ତି ତାହା ବେଳେ ବେଳେ ମୂଳ ଟିକେଟ୍‌ ଠାରୁ ବି ଅଧିକ ହୋଇଯାଉଛି । ‘ଉଡାନ୍‌’ ଯୋଜନାରେ ଏକ ଘଣ୍ଟାର ଘରୋଇ ଉଡାଣ ଲାଗି ୨୫୦୦ ଟଙ୍କା ଭଡା ସରକାର ଧାର୍ଯ୍ୟ କରିଛନ୍ତି । ଯେତେବେଳେ ଜଣେ ୨୫୦୦ ଟଙ୍କାର ଟିକେଟ୍‌ ବାତିଲ କରିବା ପରେ ୩୦୦୦ ଟଙ୍କା ଦେୟ ବାବତକୁ ଦେଉଛି, ତାହା ଅନୁଚିତ ମନେହେଉଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ।

ନିକଟରେ କେତେକ ଏୟାର ଲାଇନ୍ସ ଟିକଟ ବାତିଲ୍‌ ଦେୟ ବୃଦ୍ଧି କରିଛନ୍ତି । ଏହାର ସମୀକ୍ଷା ଲାଗି ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ଜୟନ୍ତ ସିହ୍ନା । ଅନ୍ୟପକ୍ଷରେ ଯଦି ଟିକେଟ୍‌ ବାତିଲ୍‌ ଦେୟର ଏହି ଦର ଜାରି ରହେ ତେବେ ବିମାନ ଟିକେଟ କ୍ରୟ ହ୍ରାସ ପାଇବ । ଯେଉଁ ଯାତ୍ରୀମାନେ ଶସ୍ତାରେ ଟିକେଟ ପାଇବା ଲାଗି ମାସ ମାସ ଆଗରୁ ଟିକେଟ ଖର୍ଦ୍ଦି କରୁଛନ୍ତି ସେମାନେ ଯେତେବେଳେ କୌଣସି କାରଣରୁ ଟିକେଟ୍‌ ବାତିଲ୍‌ କରୁଛନ୍ତି, ସେମାନଙ୍କୁ ଅଧିକ ଦେୟ ଦେବାକୁ ପଡୁଛି ।

ସମ୍ବନ୍ଧିତ ଖବର