ସରକାର ଲଗାଇଲେ ଅଙ୍କୁଶ: ଏଣିକି କାର୍‌ରେ ଲାଗିବ ନାହିଁ ବମ୍ପର ଗାର୍ଡ

ନୂଆଦିଲ୍ଲୀ: ଭାରତ ସରକାର କାରରେ ଲଗାଯାଉଥିବା ବମ୍ପର ଗାର୍ଡ ଉପରେ ଅଙ୍କୁଶ ଲଗାଇଛନ୍ତି। ମିନିଷ୍ଟ୍ରି ଅଫ୍‌ ରୋଡ ଟ୍ରାନ୍ସପୋର୍ଟ ଆଣ୍ଡ ହାଇେଓ୍ଵଜ୍‌ ଏକ ନିର୍ଦ୍ଦେଶନାମାରେ କହିଛନ୍ତି, କାର୍‌ରେ ଏଣିକି ବେଆଇନ୍‌ ବମ୍ପର ଗାର୍ଡ ଲଗାଯିବ ନାହିଁ। ଯଦି ଏହି ନିୟମକୁ କେହି ଉଲଂଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ।

ସରକାର କହିଛନ୍ତି, କାରରେ ଏଭଳି ବମ୍ପର ଗାର୍ଡ ଲଗାଇବା ମୋଟର ଭେଇକିଲ ଆକ୍ଟ, ୧୯୯୮ ଧାରା ୫୨ର ଉଲଂଘନ। ସରକାର କାର୍‌ରେ ବମ୍ପର ଗାର୍ଡ ଲଗାଇବା ନେଇ ଏଥିପାଇଁ ପ୍ରତିବନ୍ଧକ ଲଗାଇଛନ୍ତି କାରଣ, ଏହା କେବଳ ଯେ ସଡ଼କ ନିୟମ ଭଙ୍ଗ କରୁଛି ତାହା ନୁହେଁ, ଗାଡ଼ିରେ ବସିଥିବା ଯାତ୍ରୀଙ୍କ ପାଇଁ ବି ଏହା ଘାତକ ହୋଇଥାଏ। କିଛିଦିନ ହେବ ଭାରତରେ ଗାଡ଼ିମାନଙ୍କରେ ଏଭଳି ବମ୍ପର ଗାର୍ଡ ବ୍ୟବହାର ଅଧିକ ମାତ୍ରାରେ କରାଯାଉଛି। ଗାଡ଼ି ବିକ୍ରୟ କରୁଥିବା କମ୍ପାନିମାନଙ୍କରେ ବି ଏହି ବମ୍ପର ଲଗା ଗାଡ଼ି ଉପଲବ୍ଧ ରହିଛି।

ଲୋକମାନଙ୍କ ଭାବନା କି ଗାଡ଼ି ଛୋଟ-ମୋଟ ଧକ୍କା ହେବା ଫଳରେ ଏହି ବମ୍ପର ଗାର୍ଡ ଗାଡ଼ିକୁ ବଞ୍ଚାଇ ଥାଏ। କିନ୍ତୁ ବିଶେଷଜ୍ଞଙ୍କ କହିବାନୁସାରେ, ଜୋର ଧକ୍କା ହେବା ଭଳି ପରିସ୍ଥିତିରେ ଏହି ବମ୍ପର ଗାର୍ଡ ଗାଡ଼ିର କୌଣସି ସୁରକ୍ଷା କରିପାରେ ନାହିଁ। ଏହି ବମ୍ପର ଗାର୍ଡକୁ କାର୍‌ର ଦୁଇଟି ପଏଣ୍ଟରେ ଫିକ୍ସ କରାଯାଇଥାଏ। ଧକ୍କା ସମୟରେ ଚାପ ଗାଡ଼ିର ଏହି ଦୁଇଟି ପଏଣ୍ଟ ବଦଳରେ ସମୂର୍ଣ୍ଣ ଷ୍ଟ୍ରକଚର ଉପରେ ପଡ଼ିଥାଏ। ଫଳରେ ଗାଡ଼ିର ଅଧିକ କ୍ଷତି ହେବାର ସମ୍ଭାବନା ରହିଥାଏ।

ଏତଦ୍‌ ବ୍ୟତୀତ ଗାଡ଼ିରେ ଏୟାରବ୍ୟାଗ୍‌ର ସେନ୍‌ସର ବି ଲଗା ଯାଇଥାଏ। ବମ୍ପର ଗାର୍ଡ଼ ଗାଡ଼ିରେ ଲଗାଇବା ଦ୍ୱାରା ଏହି ସେନ୍‌ସର ସଠିକ୍‌ ଭାବେ କାମ କରି  ନ ଥାଏ। ଯାହାଫଳରେ ଧକ୍କା ସମୟରେ ଏୟାରବ୍ୟାଗ୍‌ ଖୋଲି ପାରି ନ ଥାଏ। ଧକ୍କା ସମୟରେ ବମ୍ପର ଗାର୍ଡ ଲାଗି ନ ଥିବା ଗାଡ଼ି ଓ ଗାଡ଼ି ଭିତରେ ବସିଥିବା ଯାତ୍ରୀଙ୍କୁ ଯେତିକି ପ୍ରଭାବ ପଡେ ନାହିଁ, ବମ୍ପର ଗାର୍ଡ ଲଗାଇଥିବା ଗାଡ଼ି ଉପରେ ତା’ଠାରୁ ଅଧିକ  ପ୍ରଭାବ ପଡ଼ିଥାଏ ।

ସମ୍ବନ୍ଧିତ ଖବର