ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ର ସରକାର ମାଗିଲେ ୩୦ ହଜାର କୋଟି ଦିଅ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଭଣ୍ଡାର ଉପରୁ କେନ୍ଦ୍ର ସରକାରଙ୍କ ନଜର ହଟିନାହିଁ। ନିକଟରେ ରିଜର୍ଭ ବ୍ୟାଙ୍କ ତରଫରୁ ସରକାରଙ୍କୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ଦିଆଯାଇଥିଲା। ଏହା ସତ୍ତ୍ବେ ୩୦ ହଜାର କୋଟି ଟଙ୍କା ଦେବାକୁ ରିଜର୍ଭ ବ୍ୟାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷ ପାଇଁ ୩୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କକୁ ସରକାର କହିଥିବା ଜଣାପଡ଼ିଛି।

ଦେଶର ଆର୍ଥିକ ଅଭିବୃଦ୍ଧି ହାର ସାଢ଼େ ଛଅ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଯିବା ପରେ ସରକାର ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଅଭିବୃଦ୍ଧିକୁ ବଢ଼ାଇବା ଲାଗି ଅନେକ ପ୍ରକାର ପ୍ୟାକେଜ୍ ଓ ପ୍ରୋତ୍ସାହନ ଘୋଷଣା କରାଯାଉଛି। ଏହା ଦ୍ବାରା ରାଜକୋଷ ଉପରେ ପ୍ରଭାବ ପଡ଼ିଛି। ନିକଟରେ କଂପାନି ଟିକସକୁ ୩୦%ରୁ ୨୨%କୁ ହ୍ରାସ କରାଯାଇଥିବାରୁ ସରକାର ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର ରାଜସ୍ବ ହରାଇବେ। ଏପଟେ ଟିକସ ରାଜସ୍ବ ମଧ୍ୟମ ଧରଣର ରହୁଥିବାରୁ ସରକାରଙ୍କ ଆର୍ଥିକ ଗଣିତ ବିଗିଡ଼ି ଯାଇଛି। ବିତ୍ତୀୟ ନିଅଣ୍ଟକୁ ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ୩.୩% ଭିତରେ ରଖିବା ଲାଗି ସରକାରଙ୍କୁ ଅଧିକ ପାଣ୍ଠି ଦରକାର ହେଉଛି। ସେହି ପାଣ୍ଠି ହାସଲ କରିବା ଲାଗି ସରକାର ରିଜର୍ଭ ବ୍ୟାଙ୍କ ଭଣ୍ଡାର ଉପରେ ପୁଣି ନଜର ପକାଇଛନ୍ତି। ଦରକାର ହେଲେ ଆଗାମୀ ଜାନୁଆରି ସୁଦ୍ଧା ଅନ୍ତରୀଣ ଲାଭାଂଶ ବାବଦ ଟଙ୍କା ଦେବାକୁ ରିଜର୍ଭ ବ୍ୟାଙ୍କକୁ ସରକାର କହିପାରନ୍ତି ବୋଲି ଜଣାପଡ଼ିଛି। ଆୟ ଏବଂ ବ୍ୟୟରେ ଯେଉଁ ବଡ଼ ଧରଣର ଅନ୍ତର ଦେଖାଦେଇଛି ତାହାକୁ ବିଭିନ୍ନ ଉପାୟରେ ଦୂର କରିବାକୁ ସରକାର ଉଦ୍ୟମ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ଟଙ୍କା ବାଦ ସରକାରୀ କଂପାନିଗୁଡ଼ିକରେ ଥିବା ଅଂଶଧନକୁ ବିକ୍ରି କରି (ପୁଞ୍ଜି ପ୍ରତ୍ୟାହାର) ସରକାର ଅଧିକ ଟଙ୍କା ଜୁଟାଇବାକୁ ଚାହୁଛନ୍ତି। ଏହା ବ୍ୟତୀତ କ୍ଷୁଦ୍ର ସଞ୍ଚୟ ଜମା ଖାତାର ଅର୍ଥକୁ ମଧ୍ୟ ବ୍ୟବହାର କରିବା ଲାଗି ସରକାରଙ୍କ ଯୋଜନା ରହିଛି।

ସରକାର ନିଜର ହିସାବ ଖାତାକୁ ଠିକ୍ ରଖିବା ଲାଗି ରିଜର୍ଭ ବ୍ୟାଙ୍କକୁ ଆଗୁଆ ଲାଭାଂଶ ମାଗିବା କିଛି ନୂଆ କଥା ନୁହେଁ। ୨୦୧୮-୧୯ରେ ରିଜର୍ଭ ବ୍ୟାଙ୍କ ୨୮ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରିଥିଲା। ଏହାର ପୂର୍ବବର୍ଷ (୨୦୧୭-୧୮)ରେ ଏହା ୧୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ସରକାରଙ୍କୁ ଦେଇଥିଲା।ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ଅତିରିକ୍ତ ଟଙ୍କା ହାସଲ କରିବା ଲାଗି କେନ୍ଦ୍ର ସରକାର ବହୁ ଦିନ ଉଦ୍ୟମ କରିବା ପରେ ସଫଳ ହୋଇଛନ୍ତି। ଏହି ପ୍ରସଙ୍ଗ ବେଶ ବିବାଦୀୟ ଥିଲା ଏବଂ ସରକାରଙ୍କ ଏହି ଆଭିମୁଖ୍ୟକୁ ବି‌ରୋଧ କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ୍‌ ଇସ୍ତଫା ଦେଇଥିଲେ। ତାଙ୍କ ଉତ୍ତରାଧିକାରୀ ଭାବେ ଆସିଥିବା ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ଅତିରିକ୍ତ ଟଙ୍କାକୁ ସରକାରଙ୍କ ଖାତାକୁ ହସ୍ତାନ୍ତର କରିବାକୁ ମଞ୍ଜୁରି ଦେଇଛନ୍ତି। ‌କେତେ ଟଙ୍କା ରିଜର୍ଭ ବ୍ୟାଙ୍କର ଭଣ୍ଡାରରେ ରହିବା ଦରକାର ତାହା ଧାର୍ଯ୍ୟ କରିବା ଲାଗି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଳ ଜାଲାନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଉକ୍ତ କମିଟିର ସୁପାରିସ୍‌ ଆଧାରରେ ବଳକା ଟଙ୍କାକୁ ସରକାରଙ୍କ ଖାତାକୁ ହସ୍ତାନ୍ତର କରାଯାଉଛି।

livemint

ଜାଲାନ କମିଟି ଆଧାରରେ ସରକାରଙ୍କ ଖାତାକୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ୨୦୧୮-୧୯ରେ ରିଜର୍ଭ ବ୍ୟାଙ୍କ ରେକର୍ଡ ୧,୨୩,୪୧୪ କୋଟି ଟଙ୍କା ଆୟ କରିଛି। ସେଥି ମଧ୍ୟରୁ ଅନ୍ତରୀଣ ଲାଭାଂଶ ବାବଦରେ ୨୮ ହଜାର କୋଟି ଟଙ୍କା ସରକାରଙ୍କୁ ୨୦୧୯ ମାର୍ଚରେ ହସ୍ତାନ୍ତର କରାଯାଇଥିଲ। ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ଠାରୁ ଲାଭାଂଶ ବାବଦରେ ୯୦ ହଜାର କୋଟି ଟଙ୍କା ମିଳିବ ବୋଲି ସରକାର ବଜେଟ୍‌‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ, ତା’ଠାରୁ ଯଥେଷ୍ଟ ଅଧିକ ପରିମାଣ ଲାଭାଂଶ ପାଇବାକୁ ସରକାର ଉଦ୍ୟମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର