ଭୁବନେଶ୍ବର: ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ଓଡ଼ିଶା ସରକାର ୨୦୨୫-୨୬ ବଜେଟ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବଜେଟ୍ରେ ବିଭିନ୍ନ ବର୍ଗ କ’ଣ ଆଶା କରୁଛନ୍ତି ତାହା ଜାଣିବା ଲାଗି ଲୋକମାନଙ୍କ ମତାମତ ଲୋଡ଼ିଛି ଅର୍ଥ ବିଭାଗ। ପ୍ରାକ୍ ବଜେଟ୍ ଆଲୋଚନା ପ୍ରକ୍ରିୟାରେ ନିଜ ମତ ଦେବା ଲାଗି ବିଭାଗ ପକ୍ଷରୁ ଜନସାଧାରଣ, ନାଗରିକ ସମାଜ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ଆହ୍ବାନ ଦିଆଯାଇଛି। ବଜେଟ୍କୁ ଅଧିକ ମୁକ୍ତ, ଅଂଶଗ୍ରହଣକାରୀ ଓ ଅନ୍ତର୍ଭୁକ୍ତୀକରଣ କରିବା ଲାଗି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୨୦୨୫ ଜାନୁଆରି ୩୧ ସୁଦ୍ଧା ମତାମତ ପଠାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି। ମତାମତ ପଠାଇବା ଲାଗି ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ବିକଳ୍ପ ପ୍ରଦାନ କରାଯାଇଛି।
ସାଧାରଣ ଜନତା ଓ ସଂଗଠନଗୁଡ଼ିକ ରାଜ୍ୟ ସରକାରଙ୍କ ବଜେଟ୍ ପୋର୍ଟାଲ୍ budget.odisha.gov.inରେ ମତ ଦେଇପାରିବେ। ସେମାନେ ଚାହିଲେ [email protected]ରେ ଇମେଲ୍, ୯୪୩୮୧୬୧୧୧୧ ନମ୍ବରରେ ହ୍ବାଟସ୍ଆପ୍ ମଧ୍ୟ କରିପାରିବେ। ଅନ୍ୟଥା ସେମାନେ ଅର୍ଥ ବିଭାଗର ସୋସିଆଲ୍ ମିଡିଆ ‘ଏକ୍ସ’, ଫେସ୍ବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ ନିଜର ମତ ଦେଇପାରିବେ। ଏହି ବ୍ୟବସ୍ଥାଗୁଡ଼ିକୁ ବ୍ୟବହାର କରି ବାର୍ଷିକ ବଜେଟ୍ ପ୍ରସ୍ତୁତି ଲାଗି ନିଜ ମୂଲ୍ୟବାନ ମତ ଦେବା ପାଇଁ ଅର୍ଥ ବିଭାଗ ପକ୍ଷରୁ ଅଂଶୀଦାରମାନଙ୍କୁ ଆହ୍ବାନ ଦିଆଯାଇଛି।
ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ବଜେଟ୍ ପ୍ରକ୍ରିୟାକୁ ଅଧିକ ମୁକ୍ତ ଓ ଅଂଶଗ୍ରହଣକାରୀ କରିବା ଲାଗି ଗତବର୍ଷଠାରୁ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବ୍ୟବହାର କରାଯାଉଛି। ସେହି ଧାରାକୁ ଜାରି ରଖି ଚଳିତ ବର୍ଷ ମଧ୍ୟ ସମାଜର ବିଭିନ୍ନ ବର୍ଗଙ୍କଠାରୁ ମତାମତ ଲୋଡ଼ାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ। ଏହାପରେ ଏକ ଅନ୍ତରୀଣ ବଜେଟ୍ ମଧ୍ୟ ଆଣିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/email-it-pro.jpg)