ଭୁବନେଶ୍ବର: ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଦିବ୍ୟାଙ୍ଗଙ୍କ ସମେତ ସମାଜର ସବୁ ବର୍ଗର ଲୋକଙ୍କୁ ଋଣ ଦେବା ଲାଗି ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକୁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ ଆହ୍ବାନ ଦେଇଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ନଜରରେ ରଖି ଋଣ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ୧୭୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀମତୀ ଗର୍ଗ ଋଣ ପ୍ରଦାନରେ ରହିଥିବା ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉପରେ ଆଲୋକପାତ କରିଛନ୍ତି। ଅଣସଂଗଠିତ କ୍ଷେତ୍ରକୁ ଯିବା ବଦଳରେ ଯେଭଳି ଲୋକମାନେ ନିଜ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାଙ୍କ ପାଖକୁ ଆସିବେ, ସେଥିପାଇଁ ଲୋକମାନଙ୍କୁ ସୁବିଧାରେ ଓ ସହଜରେ ଋଣ ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ରାଜ୍ୟର ଜିଏସ୍‌ଡିପିକୁ ଋଣ ଅନୁପାତ ଜାତୀୟ ହାରଠାରୁ କମ୍ ଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେଥିରେ ଉନ୍ନତି ଆଣିବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। 

Advertisment

ଲୋକଙ୍କୁ ସୁବିଧାରେ ସେବା ଦିଅ
ଆଞ୍ଚଳିକ ବୈଷମ୍ୟ ଦୂର କର
ଜିଏସ୍‌ଡିପିକୁ ଋଣ ଅନୁପାତ ନେଇ ଉଦ୍‌ବେଗ

ପିଏମ୍‌ଇଜିପି, ପିଏମ୍‌ ମୁଦ୍ରା, ଷ୍ଟାଣ୍ଡଅପ୍ ଇଣ୍ଡିଆ, ପିଏମ୍‌ ସ୍ବନିଧି ଭଳି ସରକାରୀ ପ୍ରାୟୋଜିତ ଯୋଜନା ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଘରୋଇ ବ୍ୟାଙ୍କଗୁଡ଼ିକୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଆହ୍ବାନ ଦେଇଛନ୍ତି। ସାମାଜିକ ସୁରକ୍ଷା ସ୍କିମ୍‌ଗୁଡ଼ିକରେ ହୋଇଥିବା ଦାବି ସମାଧାନର ତଥ୍ୟ ଉପସ୍ଥାପନ କରିବାକୁ ସେ ବ୍ୟାଙ୍କର୍ସ କମିଟିକୁ କହିଛନ୍ତି। ସର୍ବନିମ୍ନ ଆବଶ୍ୟକ କାଗଜପତ୍ର ଜରିଆରେ ନିର୍ଧାରିତ ସମୟ ଭିତରେ ଋଣ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ବ୍ୟାଙ୍କଗୁଡ଼ିକୁ କହିଛନ୍ତି। 

ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜୟ କୁମାର ନିବୃତି କାମ୍ବଲେ ସୂଚନା ଦେଇଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ଲାଗି ବ୍ୟାଙ୍କଗୁଡ଼ିକ ନିମନ୍ତେ ୨,୧୦,୫୪୬ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ଧାର୍ଯ୍ୟ କରାଯାଇଛି। ସେଥିରୁ ୧,୦୩,୮୮୯ କୋଟି ଟଙ୍କା ଋଣକୁ ବ୍ୟାଙ୍କଗୁଡ଼ିକ ସେପ୍ଟେମ୍ବର ୩୦ ସୁଦ୍ଧା ଦେଇଛନ୍ତି ଯାହା ଋଣ ଯୋଜନାର ୪୯.୩୪ ପ୍ରତିଶତ। କୃଷି ଋଣ ଲକ୍ଷ୍ୟର ୫୩% ଓ ଏମଏସଏମଇର ୫୬.୮୯% ଲକ୍ଷ୍ୟ ହାସଲ ହୋଇଛି। ରାଜ୍ୟର ଋଣ ଜମା ଅନୁପାତ ସେପ୍ଟେମ୍ବର ୩୦ ସୁଦ୍ଧା ୭୬.୩୫% ରହିଛି। ଏହି ସମୟ ଭିତରେ ବ୍ୟାଙ୍କଗୁଡ଼ିକ ପିଏମ୍‌ଜେଡିୱାଇ ଅଧୀନରେ ୪୭.୬୩%, ପିଏମଜେଜେବିୱାଇ ଅଧୀନରେ ୭୧.୮୭%, ପିଏମ୍‌ଏସ୍‌ବିୱାଇ ଅଧୀନରେ ୬୪.୫୬% ଏବଂ ଏପିୱାଇ ଅଧୀନରେ ୫୧.୪୩% ଲକ୍ଷ୍ୟ ହାସଲ କରିଥିବା ଜଣାପଡ଼ିଛି। ଏହି ଅବସରରେ ଷ୍ଟେଟ୍‌ ବ୍ୟାଙ୍କ ସିଜିଏମ୍‌ ଦୀନେଶ ପୃଥ୍ବୀ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଗୌତମ ପାତ୍ର, କମିଟିର ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ, ବିଭିନ୍ନ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟର ପ୍ରଶାସନିକ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।