ନୂଆଦିଲ୍ଲୀ: ଜିଏସ୍ଟି ଦରରେ ହୋଇଥିବା ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଉପରେ ସରକାର ଜୋର ଦେଉଛନ୍ତି। ବିଜ୍ଞାପନ ମାଧ୍ୟମରେ ଜିଏସ୍ଟି ରିହାତିର ପ୍ରଚାରପ୍ରସାର କରିବାକୁ ରିଟେଲର୍ମାନଙ୍କୁ କୁହାଯାଇଛି। ସେମାନଙ୍କୁ ଦର ତାଲିକା ଲଗାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏନେଇ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରସାର ବିଭାଗ ପକ୍ଷରୁ ଭାରତୀୟ ରିଟେଲର୍ ସଂଘକୁ ଅବଗତ କରାଯାଇଛି। ଗ୍ରାହକଙ୍କୁ ଯେଉଁ ରସିଦ୍ ଦିଆଯିବ, ସେଥିରେ ସ୍ପଷ୍ଟ ଭାବେ ଜିଏସ୍ଟି ରିହାତି କେତେ ମିଳିଲା ତାହା ଜଣାଇବାକୁ ରିଟେଲର୍ମାନଙ୍କୁ କୁହାଯାଇଛି।
ନିଜ ଷ୍ଟୋର୍ରେ ପୋଷ୍ଟର୍ ଓ ଫ୍ଲାୟର୍ ଲଗାଇବା ଏବଂ ସମ୍ବାଦପତ୍ର, ଟିଭି ଓ ଅନ୍ଲାଇନ୍ରେ ବିଜ୍ଞାପନ ଜରିଆରେ ଜିଏସ୍ଟି ରିହାତିର ପ୍ରଚାର କରିବାକୁ ସରକାର କହିଛନ୍ତି। ପୂଜା ସମୟରେ ବିକ୍ରି କିଭଳି ରହୁଛି ତାହା ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦଆଯାଇଛି। ଚଳିତ ମାସ ୨୨ରୁ ନୂଆ ଜିଏସ୍ଟି ଦର ଲାଗୁ ହେବ। ସେହିଦିନଠାରୁ ସାବୁନ, ସାମ୍ପୁ, କାର୍, ଟ୍ରାକ୍ଟର, ଏୟାର କଣ୍ଡିସନର ଭଳି ୪୦୦ରୁ ଅଧିକ ଉତ୍ପାଦର ଦାମ୍ କମିବ। ଅନ୍ୟ ପକ୍ଷରେ ଜିଏସ୍ଟି ହ୍ରାସର ଲାଭ ବୀମା ଗ୍ରାହକଙ୍କ ନିକଟରେ ପହଞ୍ଚାଇବାକୁ ସରକାର ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଥିକ ସେବା ବିଭାଗ ସଚିବ ଏମ୍ ନାଗରାଜୁଙ୍କ ଅଧ୍ୟକ୍ଷତାରେ ଆଇଆର୍ଡିଏଆଇର ବରିଷ୍ଠ ଅଧିକାରୀ, ସରକାରୀ ବୀମା କମ୍ପାନିର ସିଏମ୍ଡି ଏବଂ ଘରୋଇ ବୀମା କମ୍ପାନିଙ୍କ ସିଇଓ ଆଦିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। କମ୍ପାନିଙ୍କ ଏହି ପଦକ୍ଷେପ ଦ୍ବାରା ଲୋକଙ୍କ ପାଇଁ ବୀମା କରିବା ସୁଲଭ ହେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଜିଏସ୍ଟି ପରିଷଦର ୫୬ତମ ବୈଠକରେ ବ୍ୟକ୍ତିଗତ ଓ ସ୍ବାସ୍ଥ୍ୟ ବୀମା ପଲିସି ଉପରେ ଆଦାୟ କରାଯାଉଥିବା ୧୮ ପ୍ରତିଶତ ଜିଏସ୍ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି।
ସଂଶୋଧିତ ଜିଏସ୍ଟି ଢାଞ୍ଚାରେ କେବଳ ୫ ପ୍ରତିଶତ, ୧୮ ପ୍ରତିଶତ ଓ ୪୦ ପ୍ରତିଶତର ଜିଏସ୍ଟି ସ୍ଲାବ୍ ରହିବ। ଅତ୍ୟାବଶ୍ୟକ ଓ ସାଧାରଣ ଜନତା ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ ୫ ପ୍ରତିଶତ ସ୍ଲାବ୍ରେ ରଖାଯାଇଛି। ଅନ୍ୟ ଜିନିଷଗୁଡ଼ିକୁ ୧୮ ପ୍ରତିଶତ ସ୍ଲାବ୍ରେ ସାମିଲ କରାଯାଇଛି। ପ୍ରଚଳନରେ ଥିବା ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍କୁ ଉଚ୍ଛେଦ କରାଯାଇଛି। ବିଳାସପୂର୍ଣ୍ଣ ଓ ହାନିକାରକ ସାମଗ୍ରୀ ଉପରେ ୪୦ ପ୍ରତିଶତର ନୂଆ ସ୍ଲାବ୍ ଲାଗୁ କରାଯାଇଛି।