ନୂଆଦିଲ୍ଲୀ : ପେଟ୍ରୋଲ, ଡିଜେଲ ଦର ଗତ ଦୁଇବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ସାରିଛି। ଦର ଉଚ୍ଚ ସ୍ତରରେ ଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଇନ୍ଧନ ଦର ସରକାରଙ୍କୁ ଏବେ ଅକଳରେ ପକାଇଛି। ସ୍ଥିତି ଏଭଳି ହୋଇଛି ଯେ ସରକାର ଟିକସ କମାଇ ଲୋକଙ୍କୁ କମ୍ ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦେଲେ ତାହା ରାଜସ୍ବକୁ ପ୍ରଭାବିତ କରିବ। ଟିକସ ନକମାଇଲେ ଦିନକୁ ଦିନ ଅଶୋଧିତ ତେଲ ଦର ବଢ଼ୁଥିବାରୁ ପେଟ୍ରୋଲ ଓ ଡିଜେଲ ଦର ଆହୁରି ମହଙ୍ଗା ହୋଇଯିବ। ଏହାହେଲେ ଦେଶର ମୁଦ୍ରାସ୍ଫୀତି ବଢ଼ିଯିବ। ଉଭୟ ନିଷ୍ପତ୍ତି ଅର୍ଥନୀତି ପାଇଁ ଘାତକ ସଦୃଶ ହେବାକୁ ଥିବାରୁ ସରକାର ଅଡ଼ୁଆରେ ପଡ଼ିଯାଇ ପାରନ୍ତି।
କରୋନା ମହମାରୀ ଯୋଗୁ ବ୍ୟବସାୟ ବାଣିଜ୍ୟ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁ ସରକାରଙ୍କ ରାଜସ୍ବ ଆଦାୟ କମିଛି। ସେହି ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଅବିଶ୍ବସନୀୟ ଭାବେ ହ୍ରାସ ପାଇ ନିମ୍ନସ୍ତରକୁ ଆସିଯାଇଥିଲା। ଭାରତ ଦେଶର ମୋଟ ଚାହିଦାର ୮୦ ପ୍ରତିଶତରୁ ଅଧିକ ପରିମାଣର ପେଟ୍ରୋଲିୟମ ସାମଗ୍ରୀ ଆମଦାନି କରୁଥିବାରୁ ସରକାରଙ୍କୁ ଏହା ସୁହାଇଥିଲା। ଏହାର ଫାଇଦା ନେଇ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଶୁଳ୍କ ବହୁମାତ୍ରାରେ ବଢ଼ାଇ ଦେଇଥିଲେ। ଏହା ପରେ ପରେ କେତେକ ରାଜ୍ୟ ମଧ୍ୟ ପେଟ୍ରୋଲ, ଡିଜେଲ ଉପରେ ଭାଟ୍ ବି ବଢ଼ାଇ ଦେଇଥିଲେ। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଯୋଗୁ ଗ୍ରାହକଙ୍କୁ ପେଟ୍ରୋଲ, ଡିଜେଲକୁ କମ୍ ଦରରେ କିଣିବାର ଯେଉଁ ସୁଯୋଗ ଗ୍ରାହକଙ୍କ ନିକଟରେ ରହିଥିଲା ତାହାକୁ ସରକାର ଟିକସ ଆକାରରେ ନେଇଗଲେ । କିଛିଦିନ ହେଲା କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିବା ଆରମ୍ଭ ହୋଇଛି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୫୦ ଡଲାରରୁ ଅଧିକ ହୋଇଗଲାଣି। ଅଶୋଧିତ ତେଲ ଦର ବଢ଼ିବା ପ୍ରଭାବରେ ଗତ କିଛିଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବହୁମାତ୍ରାରେ ବଢ଼ିଯାଇଛି। ତେଣୁ ପେଟ୍ରୋଲ, ଡିଜେଲ ପାଇଁ ସରକାରଙ୍କ ବିତ୍ତୀୟ ସ୍ଥିରତା ଓ ମୁଦ୍ରାସ୍ଫୀତି ସ୍ଥିତି ଏଭଳି ଭାବରେ ରହିଛି ଯାହାଦ୍ବାରା ସରକାରଙ୍କୁ ଗୋଟିଏ କିଛି ପାଇବାକୁ ହେଲେ ଅନ୍ୟଟିକୁ ହରାଇବାକୁ ପଡ଼ିବ ବୋଲି ବାର୍କ୍ଲେଜ୍ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।