ଭୁବନେଶ୍ବର: ରାଜ୍ୟ ସରକାର ଏକ ନୂଆ ରାଜ୍ୟ ଡାଟା ନୀତି ଆଣିବା ଯୋଜନା ରଖିଛନ୍ତି। ଲୋକସେବା ଭବନରେ ଡାଟା ପଲିସି ଆଣ୍ଡ୍ ଇନୋଭେସନ୍ ସେଣ୍ଟର (ଡିପିଆଇସି) ଓ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହଯୋଗିତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି। ଶ୍ରୀ ଆହୁଜା କହିଛନ୍ତି ଯେ ନୂଆ ନୀତି ଓଡ଼ିଶାକୁ ପ୍ରମାଣ ଆଧାରିତ ନିଷ୍ପତ୍ତି ନେବାରେ ସହାୟକ ହେବ।
ରାଜ୍ୟରେ ଏକ ବ୍ୟାପକ ଡାଟା ବ୍ୟବସ୍ଥା ବିକାଶ କରିବା ଉପରେ ମଧ୍ୟ ସରକାର କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି। ଏହା ଦ୍ବାରା ସରକାରୀ ବିଭାଗ ଓ ନୀତି ନିର୍ଧାରକମାନେ ଡାଟାକୁ ବ୍ୟବହାର କରି ସଶକ୍ତ ହୋଇପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ କହିଛନ୍ତି ଯେ ପ୍ରଶାସନିକ କାର୍ଯ୍ୟରେ ପ୍ରମାଣ ଭିତ୍ତିକ ନିଷ୍ପତ୍ତି ଲାଗି ଡିପିଆଇସି ଜରିଆରେ ଡାଟା ବିଜ୍ଞାନ ଟୁଲ୍ ଓ ଉନ୍ନତ ଗବେଷଣା ପଦ୍ଧତି ବ୍ୟବହାର କରିବା ଲାଗି ଉଦ୍ୟମ କରାଯାଉଛି।