ନୂଆଦିଲ୍ଲୀ: ଏୟାର କଣ୍ଡିସନର (ଏସି) ତାପମାତ୍ରା ଲାଗି ଏକ ନୂଆ ମାନକ ଜାରି କରାଯିବ। ଏସିରେ ତାପମାତ୍ରା ୨୦-୨୮ ଡିଗ୍ରି ମଧ୍ୟରେ ସୀମିତ ରହିବ। ତାହା ୨୦ ଡିଗ୍ରିରୁ କମିବ ନାହିଁ ଓ ୨୮ ଡିଗ୍ରିରୁ ବଢ଼ିବ ନାହିଁ। ପିକ୍ ବିଦ୍ୟୁତ୍ ଚାହିଦା ହ୍ରାସ କରିବାରେ ତାହା ସହାୟକ ହେବ ବୋଲି ଶକ୍ତି ମନ୍ତ୍ରୀ ମନୋହର ଲାଲ କହିଛନ୍ତି। ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଏହି ମାନକ ବିକାଶ କରୁଛି। ଅନ୍ତତଃ ଘରେ ବ୍ୟବହାର ହେଉଥିବା ଏସି ଲାଗି ତାହାକୁ ଲାଗୁ କରାଯିବ ଏବଂ କମର୍ସିଆଲ୍ ୟୁନିଟ୍ଗୁଡ଼ିକୁ ମଧ୍ୟ ସେଥିରେ ସାମିଲ କରାଯାଇପାରେ। ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି ଯେ ସାଧାରଣତଃ ୨୦ ଡିଗ୍ରିରୁ କମ୍ ତାପମାତ୍ରାରେ କେହି ଶୁଅନ୍ତି ନାହିଁ। ସେଥିପାଇଁ ସର୍ବନିମ୍ନ ତାପମାତ୍ରାକୁ ୨୪ ଡିଗ୍ରି ରଖିବା ଲାଗି ପରାମର୍ଶ ରହିଛି। କିନ୍ତୁ ଲୋକମାନଙ୍କ ବ୍ୟକ୍ତିଗତ ପସନ୍ଦକୁ ଦୃଷ୍ଟିରେ ରଖି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ରଖିବାକୁ ବିଚାର ଚାଲିଛି।
ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଉପରେ ଆଲୋକପାତ କରି ଶକ୍ତି ସଚିବ ପଙ୍କଜ ଅଗ୍ରୱାଲ କହିଛନ୍ତି ଯେ ଶୀତଳତା ପ୍ରଦାନ କରୁଥିବା ଆପ୍ଲାଏନ୍ସେସ୍ ପାଇଁ ୫୦ ଗିଗାୱାଟ୍ ବିଦ୍ୟୁତ୍ ଶକ୍ତି ଦରକାର ହେଉଛି। ଏହା ଭାରତର ପିକ୍ ବିଦ୍ୟୁତ୍ ଶକ୍ତି ଚାହିଦାରେ ପ୍ରାୟ ଏକ ପଞ୍ଚାମାଂଶ। ଏସି ତାପମାତ୍ରା ଗୋଟିଏ ଡିଗ୍ରି ବଢ଼ିଲେ ୬ ପ୍ରତିଶତ ବିଦ୍ୟୁତ୍ ସଞ୍ଚୟ ହେବ। ଦେଶରେ ୧୦ କୋଟି ଏସି ଥିବା ବେଳେ ପ୍ରତିବର୍ଷ ଦେଢ଼ କୋଟି ନୂଆ ଏସି ଲାଗୁଛି। ଏସି ଲୋଡ୍କୁ ପରିଚାଳନା କରିବା ଗ୍ରିଡ୍ ଅପରେଟରମାନଙ୍କ ପାଇଁ କଷ୍ଟକର ବ୍ୟପାର ହୋଇଛି। ତାପଜ ବିଦ୍ୟୁତ୍ କେନ୍ଦ୍ର କ୍ଷେତ୍ର ବଢ଼ୁନଥିବା ବେଳେ ଅକ୍ଷୟ ଶକ୍ତି କ୍ଷମତା ବଢ଼ୁଛି। ଏଭଳି ପରିସ୍ଥିତିରେ ରାତି ବେଳା ଅଧିକ ବିଦ୍ୟୁତ୍ ଚାହିଦା ପୂରଣ କରିବା କଷ୍ଟକର ହେଉଛି।