ପଳାତକଙ୍କ ବିଦେଶ ସମ୍ପତ୍ତି ଉପରେ ନଜର, ସରକାର ଆଣିବେ ନୂଆ ବିଲ୍

ନୂଆଦିଲ୍ଲୀ : ଋଣ ଠକେଇ କରି ଦେଶ ଛାଡ଼ି ପଳାୟନ କରିଥିବା ଠକମାନଙ୍କ ବିଦେଶୀ ସମ୍ପତ୍ତି ଜବତ କରିବା କାର୍ଯ୍ୟକୁ ସହଜ କରିବା ଲାଗି ଏକ ନୂଆ ଆଇନ ଆଣିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହି ଆଇନ ଜରିଆରେ ବ୍ୟାଙ୍କଗୁଡ଼ିକୁ କେତେକ ବିଶେଷ କ୍ଷମତା ପ୍ରଦାନ କରାଯିବ। ବିଶ୍ବସ୍ତରରେ ପ୍ରଚଳନରେ ଥିବା ଆଇନ ଅନୁଯାୟୀ ଏହାକୁ ପ୍ରସ୍ତୁତ କରାଯିବ। ଫଳରେ ଆନ୍ତର୍ଜାତିକ ସ୍ତରରେ ପତାଳକ ଅର୍ଥନୈତିକ ଅପରାଧୀମାନଙ୍କ ବିରୋଧରେ ଲଢ଼େଇ କରିବା ସହଜ ହେବ। ‌ସେମାନଙ୍କ ବିଦେଶରେ ଥିବା ସମ୍ପତ୍ତି ଜବତ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ବିଦେଶ କୋର୍ଟରେ ସହଜରେ ଆବେଦନ କରିପାରିବେ। ଯଦି କୌଣସି ବ୍ୟକ୍ତି ନିଜେ ଗ୍ୟାରେଣ୍ଟର ହୋଇ କଂପାନି ପାଇଁ ଋଣ ଥିବେ ଓ ତାହାକୁ ପରିଶୋଧ କରାଯାଇନଥିବ ତେବେ ତାଙ୍କ ନାମରେ ବିଦେଶରେ ଥିବା ସମ୍ପତ୍ତିଗୁଡ଼ିକୁ ଜବତ କରାଯିବ। ଏହି ଆଇନ ଜରିଆରେ ଆନ୍ତର୍ଜାତିକ କୋର୍ଟରେ ପଳାତକଙ୍କ ବିରୋଧରେ ବ୍ୟାଙ୍କଗୁଡ଼ିକ ବିଜୟୀ ହେବା ସହଜ ହୋଇପାରିବ।

ବ୍ୟାଙ୍କଗୁଡ଼ିକୁ ଏହି ସୁବିଧା ଦେବା ଲାଗି ଇନ୍‌ସଲ୍‌ଭେନ୍ସି ଆଣ୍ଡ୍‌ ବ୍ୟାଙ୍କରପ୍‌ସି କୋଡ୍‌ରେ (ଆଇବିସି) ସଂଶୋଧନ କରାଯାଇଛି। ସେହି ସଂଶୋଧନ ଉପରେ ଅଂଶୀଦାରମାନଙ୍କ ମତାମତ ଲୋଡାଯାଇଛି। ଇନ୍‌ସଲ୍‌ଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍‌ସି ବୋର୍ଡ ଅଫ୍ ଇଣ୍ଡିଆର ୱେବସାଇଟ୍‌ରେ ପ୍ରସ୍ତାବିତ ସଂଶୋଧିତ ଚିଠା ଅପ୍‌ଲୋଡ୍ କରାଯାଇଛି। ଏହା ଉପରେ ଡିସେମ୍ବର ୧୫ ସୁଦ୍ଧା ମତାମତ ଦେଇହେବ। ସଂଶୋଧିତ ବିଲ୍‌ରେ ଏଭଳି କିଛି ବ୍ୟବସ୍ଥା ରହିଛି ଯଦ୍ବାରା ଦେଶ ଭିତର କୋର୍ଟ ଓ ବିଦେଶ କୋର୍ଟ ଏବଂ ଭୟ ପକ୍ଷର ଇନସଲ୍‌ଭେନ୍ସି ପେସାଦାରମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିପାରିବ। କିଛି ସଂସ୍ଥା ବିରୋଧରେ ଉଭୟ ଦେଶ ଓ ବିଦେଶରେ ଇନସ୍‌ଲଭେନ୍ସି ପ୍ରକ୍ରିୟା ଆରମ୍ଭ କରାଯାଇପାରିବ। ଚଳିତ ମାସ ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଯେଉଁ ୨୬ଟି ବିଲ୍ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି ସେଥି ମଧ୍ୟରୁ ଆଇବିସି ସଂଶୋଧନ ବିଲ୍ ଅନ୍ୟତମ।

ସମ୍ବନ୍ଧିତ ଖବର