ସରକାର ପୁଣି ଜାରି କରିବେ ନିଯୁକ୍ତି ତଥ୍ୟ, ପ୍ରତି ୩ ମାସରେ ହେବ ସର୍ବେକ୍ଷଣ

୨୦୧୭ରେ ହଠାତ୍‌ ବନ୍ଦ କରିଦିଆଯାଇଥିଲା

ନୂଆଦିଲ୍ଲୀ : ତିନି ବର୍ଷ ପୂର୍ବେ ନିଯୁକ୍ତି ସର୍ବେକ୍ଷଣକୁ ବନ୍ଦ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଆସନ୍ତା ସପ୍ତାହରେ ଏକ ପରିବର୍ତ୍ତିତ ନିଯୁକ୍ତି ସର୍ବେକ୍ଷଣ ରିପୋର୍ଟ ଜାରି କରିବ। ବିଭିନ୍ନ ସଂସ୍ଥାରେ କେତେ ନିଯୁକ୍ତି ସୃଷ୍ଟି ହେଉଛି ତାହାର ଚିତ୍ର ଏଥିରେ ଦେଖିବାକୁ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୟମାସରେ କେତେ ଲୋକଙ୍କୁ ନିଯୁକ୍ତି ମିଳିଛି ସେହି ତଥ୍ୟ ଏହି ରିପୋର୍ଟରୁ ଜଣାପଡ଼ିବ। ପ୍ରତି ତିନି ମାସରେ ଏଭଳି ରିପୋର୍ଟ ଜାରି କରିବା ଉପରେ ସରକାର ବିଚାର କରୁଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଯେଉଁ ସଂଶୋଧିତ ନିଯୁକ୍ତି ସର୍ବେକ୍ଷଣ କରିଛି ସେଥି‌ରେ ମାନୁଫାକ୍‌ଚରିଂ, ଆଇଟି, ନିର୍ମାଣ ଓ ଆତିଥେୟତା ଭଳି ୯ଟି କ୍ଷେତ୍ରର ସେହି ସବୁ ସଂସ୍ଥାଗୁଡ଼ିକୁ ବିଚାରକୁ ନିଆଯାଇଛି ଯେଉଁଠାରେ ୧୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହି ସର୍ଭେ ପରିସରରେ ୮୫% ଶ୍ରମ ଶକ୍ତି ସାମିଲ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ସରକାରୀ ସ୍ତରରେ ନିଯୁକ୍ତି ତଥ୍ୟ ଜାରି ହେଉନାହିଁ। କେବଳ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ରେ ପ୍ରତି ମାସରେ ଯୋଡ଼ି ହେଉଥିବା ନୂଆ ସଦସ୍ୟଙ୍କ ତଥ୍ୟକୁ ନିଯୁକ୍ତି ତଥ୍ୟ ଭାବେ ବିଚାର କରାଯାଉଛି। ମାତ୍ର ଆଗାମୀ ଦିନରେ ସରକାର ଯେଉଁ ତଥ୍ୟ ଜାରି କରିବେ ସେଥିରେ ନିଯୁକ୍ତିର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ। ଏବେ କିଛି ଘରୋଇ ସଂସ୍ଥା ନିଯୁକ୍ତି ଓ ବେକାରି ହାରକୁ ନେଇ ତଥ୍ୟ ଜାରି କରୁଛନ୍ତି। ସେହି ସଂସ୍ଥାଗୁଡ଼ିକର ତଥ୍ୟ ବିଶ୍ବାସନୀୟ ହେଉନଥିବା ବେଳେ ସରକାରଙ୍କ ଉପରେ ତାହା ଅତିରିକ୍ତ ଚାପ ସୃଷ୍ଟି କରୁଛି। ପୂର୍ବରୁ ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଶ୍ରମ ସର୍ବେକ୍ଷଣ କରାଯାଉଥିଲା। ଏବେ ଶ୍ରମ ମନ୍ତ୍ରଣାଳୟ ଯେଉଁ ସର୍ବେକ୍ଷଣ କରୁଛି ତାହା ପରିସଂଖ୍ୟାନ ମନ୍ତ୍ରଣାଳୟ ସର୍ବେକ୍ଷଣଠାରୁ ସମ୍ପୂର୍ଣ୍ଣ ଅଲଗା। ୨୦୧୭ରେ ଏହା ସପ୍ତମ ସର୍ଭେ ସେହି ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୟମାସ ଲାଗି କରିଥିଲା। କିନ୍ତୁ ସେହି ରିପୋର୍ଟକୁ ୨୦୧୮ ଏପ୍ରିଲ୍‌ରେ ଜାରି କରିଥିଲା। ସେଥିରେ ୮ଟି କ୍ଷେତ୍ରକୁ ସାମିଲ କରାଯାଇଥିଲା। ରିପୋର୍ଟରୁ ଜଣାପଡ଼ିଥିଲା ଯେ ୮ଟି କ୍ଷେତ୍ରରେ ମାତ୍ର ୧.୩୬ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।

ସେଣ୍ଟର ଫର ମନିଟରିଂ ଇଣ୍ଡିଆ ଇକୋନମି (ସିଏମ୍‌ଆଇଇ) ନାମକ ଘରୋଇ କ୍ଷେତ୍ରର ସଂସ୍ଥା ଅଗଷ୍ଟ ମାସ ଲାଗି ଜାରି କରିଥିବା ରିପୋର୍ଟରେ ଜଣାଇଛି ଯେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୩୯.୭୮ ନିୟୁତ ରହିଛି। ୨୦୧୯-୨୦ ଅଗଷ୍ଟ ତୁଳନାରେ ତାହା ୫୭ ଲକ୍ଷ କମ୍। ମହାମାରୀର ଦ୍ବିତୀୟ ଲହର ସମୟରେ ଏପ୍ରିଲ୍‌-ମେ’ ମଧ୍ୟରେ ୨ କୋଟି ୨୭ ଲକ୍ଷ ଲୋକ ନିଯୁକ୍ତି ହରାଇଥିଲେ। ସେମାନଙ୍କ ମଧ୍ୟରୁ ୭୮ ଲକ୍ଷ ପୁଣି ଥରେ ଚାକିରି ପାଇଛନ୍ତି ବୋଲି ସିଏମ୍‌ଆଇଇ ଜଣାଇଛି।

ସମ୍ବନ୍ଧିତ ଖବର