ନାଲ୍‌କୋ ଅଂଶଧନ ବିକିବେ ସରକାର

ପ୍ରସ୍ତାବକୁ ଶୀଘ୍ର ମିଳିବ କ୍ୟାବିନେଟ୍ ମଞ୍ଜୁରି, ସରକାରଙ୍କ ୫୧.୨୮% ଅଂଶଧନ ରହିଛି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନ୍ୟାସନାଲ୍ ଆଲୁମିନିୟମ୍ କଂପାନି (ନାଲ୍‌କୋ)ର ଅଂଶଧନ ବିକ୍ରି କରିବେ। ଏହି ପ୍ରସ୍ତାବକୁ ଶୀଘ୍ର କ୍ୟାବିନେଟ୍ ମଞ୍ଜୁରି ମିଳିବ ବୋଲି ଆଶା କରାଯାଉଛି। ନାଲ୍‌କୋ ସମେତ ହିନ୍ଦୁସ୍ତାନ କପର ଲିମିଟେଡ୍‌ର ଅଂଶଧନ ମଧ୍ୟ ବିକ୍ରି କରାଯିବ। ଏନେଇ ଇଂରାଜି ୱେବସାଇଟ୍‌ ଇକୋନମିକ୍ ଟାଇମ୍‌ସ ଡଟ୍‌ କମ୍‌ରେ ଏକ ଖବର ପ୍ରକାଶ ପାଇଛି। ଧାତବ ସାମଗ୍ରୀର ଦାମ୍‌ରେ ବୃଦ୍ଧି ଘଟିଥିବାରୁ ଏହି ସମୟରେ ନାଲ୍‌କୋ ଓ ହିନ୍ଦୁସ୍ତାନ କପର ଅଂଶଧନ ବିକ୍ରି କଲେ ଭଲ ଦାମ୍ ମିଳିବ ବୋଲି ସରକାର ଭାବୁଛନ୍ତି। ନାଲ୍‌କୋରେ ଭାରତ ସରକାରଙ୍କ ୫୧.୨୮ ପ୍ରତିଶତ ଅଂଶଧନ ଥିବା ବେଳେ ହିନ୍ଦୁସ୍ତାନ କପରରେ ୬୬.୧୪% ଅଂଶଧନ ରହିଛି।

ଏହି ଦୁଇ ସଂସ୍ଥାର ଅଂଶଧନ ବିକ୍ରି ଲାଗି ଯୋଜନା ପ୍ରସ୍ତୁତ କରିବା ଉପରେ ଖଣି ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଖୁବ୍‌ଶୀଘ୍ର ସେହି ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯିବ। ଏହା ପରେ ତାହାକୁ ମଞ୍ଜୁରି ପାଇଁ କ୍ୟାବିନେଟ୍ କମିଟି ବୈଠକରେ ଉପସ୍ଥାପନ କରାଯିବ। ତେବେ ଅଂଶଧନକୁ ଆସନ୍ତା ଆର୍ଥିକ ବର୍ଷରେ ବିକ୍ରି କରାଯିବ। ଚଳିତ ଆର୍ଥିକ ବର୍ଷ ୨୦୨୨ ମାର୍ଚ୍ଚ ୩୧ରେ ଶେଷ ହେବ ଓ ସେହି ସମୟ ଭିତରେ ଅଂଶଧନ ବିକ୍ରି ଲାଗି ଦରକାର ହେଉଥିବା ସମସ୍ତ ମଞ୍ଜୁରି ହାସଲ କରିବାକୁ ସରକାର ଉଦ୍ୟମ କରିବେ। କେଉଁ ସବୁ ସରକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ଅଂଶଧନ ବିକ୍ରି କରାଯିବ ତାହାର ତାଲିକା ନିତି ଆ‌ୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଗୋଟିଏ ପରେ ଗୋଟିଏ ସଂସ୍ଥାର ଅଂଶଧନକୁ ବିକ୍ରି କରିବା ଲାଗି ଉଦ୍ୟମ ହେଉଛି। ଅବଶ୍ୟ ଏହି ସବୁ ସଂସ୍ଥାରେ ସରକାର ନିଜର କିଛି ଅଂଶଧନ ରଖିବେ। କଂପାନିଗୁଡ଼ିକର ସମ୍ପୂର୍ଣ୍ଣ ଘରୋଇକରଣ କରାଯିବ ନାହିଁ।

ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ରେ ନାଲ୍‌କୋର ସେୟାର ମୂଲ୍ୟ ୯୦ ଟଙ୍କା ୪୫ ପଇସା ରହିଛି। ଏହାର ବଜାର ପୁଞ୍ଜି ପରିମାଣ ୧୬,୫୮୦ କୋଟି ଟଙ୍କା ରହିଛି। ସେହିପରି ହିନ୍ଦୁସ୍ତାନ କପରର ସେୟାର ମୂଲ୍ୟ ୧୧୪ ଟଙ୍କା ୧୫ ପଇସା ଥିବା ବେଳେ ତାହାର ବଜାର ପୁଞ୍ଜି ମୂଲ୍ୟ ୧୧,୦୫୦ କୋଟି ଟଙ୍କା ରହିଛି। ହିନ୍ଦୁସ୍ତାନ କପରର ଅଂଶଧନ କିଣିବା ଲାଗି ବେଦାନ୍ତ ଗ୍ରୁପ୍ ଭଳି ସଂସ୍ଥା ଆଗ୍ରହୀ।

୧୭ଟି ସଂସ୍ଥାର ଅଂଶଧନ ବିକ୍ରି ପ୍ରକ୍ରିୟା ଆଗକୁ ବଢ଼ାଇବା ଲାଗି ଗତ ସପ୍ତାହରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରୋଜେକ୍ଟ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ ଇଣ୍ଡିଆ, ଇଞ୍ଜିନିୟରିଂ ପ୍ରୋଜେକ୍ଟ, ବିଇଏମ୍‌ଏଲ୍‌, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍, କଣ୍ଟେନର କର୍ପୋରେସନ୍ ଅଫ୍ ଇଣ୍ଡିଆ ଓ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‌ର ଅଂଶଧନ ବିକ୍ରି କରାଯିବ। ଚଳିତ ବର୍ଷ ଅକ୍ଟୋବରରେ ସଫଳତାର ସହ ଏୟାର ଇଣ୍ଡିଆକୁ ବିକ୍ରି କରାଯାଇଛି। ପ୍ରାୟ ୧୮ ହଜାର କୋଟି ଟଙ୍କାରେ ଟାଟା ଗ୍ରୁପ୍ ତାହାକୁ କିଣିଛି। ଦୀର୍ଘ ୧୯ ବର୍ଷ ପରେ ପ୍ରଥମ ଥର ଲାଗି କୌଣସି ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ହୋଇଛି। ଚଳିତ ଆର୍ଥିକ ବର୍ଷରେ ସରକାର ଦୁଇଟି ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ ମଧ୍ୟ କରିବେ। ପୁଞ୍ଜି ପ୍ରତ୍ୟାହାର ଜରିଆରେ ଚଳିତ ଆର୍ଥିକ ବର୍ଷରେ ୧.୭୫ ଲକ୍ଷ କୋଟି ଟଙ୍କା ହାସଲ କରିବାକୁ କେନ୍ଦ୍ର ସରକାର ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର