ଭୁବନେଶ୍ବର: ରାଜ୍ୟର କିଛି ନିର୍ଦ୍ଦିଷ୍ଟ ସରକାରୀ ଉଦ୍ୟୋଗ ଓ ସରକାରଙ୍କ ମାଲିକାନାରେ ଥିବା କମ୍ପାନିକୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରିବା ଲାଗି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରସ୍ତାବ ଦେଇଛନ୍ତି। ରାଜଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ସରକାରୀ ଉଦ୍ୟୋଗଗୁଡ଼ିକୁ ଠିକ୍ ସମୟରେ ଆର୍ଥିକ ବିବରଣୀ ପ୍ରଦାନ କରିବା, ବୈଧାନିକ ନିୟମଗୁଡ଼ିକୁ ପାଳନ କରିବା, ସ୍ବଚ୍ଛତା ଓ କର୍ପୋରେଟ୍ ପ୍ରଶାସନ ଉପରେ ଗୁରୁତ୍ବ ଦେବାକୁ କହିଛନ୍ତି।
ଅନେକ ସଂସ୍ଥା ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଆୟୋଜନ କରୁ ନ ଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହାକୁ ସେ କର୍ପୋରେଟ୍ ଗଭର୍ଣ୍ଣାସ୍ ନିୟମର ଉଲ୍ଲଂଘନ କରିଛନ୍ତି। ଆର୍ଥିକ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବା, ନିୟମିତ ଏଜିଏମ୍ ଆୟୋଜନ କରିବା ଏବଂ ଆର୍ଥିକ ବର୍ଷର ସେପ୍ଟେମ୍ବର ୩୦ ସୁଦ୍ଧା ଆକାଉଣ୍ଟ ଚୂଡ଼ାନ୍ତ କରିବାକୁ ସେ ରାଜ୍ୟର ସରକାରୀ ଉଦ୍ୟୋଗଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ପିଏସ୍ୟୁଗୁଡ଼ିକ କ୍ଷତିରେ ଚାଲୁଥିବା ସଂସ୍ଥା ବୋଲି ଯେଉଁ ଧାରଣା ଥିଲା ତାହା ବଦଳୁଛି। କିଛି ବର୍ଷ ପୂର୍ବେ ଅଲୋଡ଼ା ଥିବା ପିଏସ୍ୟୁ ଷ୍ଟକ୍ ଏବେ ସର୍ବାଧିକ ଚାହିଦାର ଷ୍ଟକ୍ରେ ପରିଣତ ହୋଇଥିବା ସେ କହିଛନ୍ତି। ବୈଠକରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍ବିଏସ୍ ରାଜପୁତ, ପ୍ରଧାନ ମହାଲେଖାକାର ଡି ସାହୁ, ବରିଷ୍ଠ ଉପ ମହାଲେଖାକାର (ପ୍ରଶାସନ) ସିରାଜ ଅଶୋକ, ଉପ ମହାଲେଖାକାର (ପିଏସ୍ୟୁ ଅଡିଟ୍) ଶୁଭମ ବୈଦ୍ୟନାଥ ସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।