ଭୁବନେଶ୍ବର: ରିୟଲ୍‌ ଇଷ୍ଟେଟ୍‌ ବଜାର ରାଜ୍ୟର କିଛି ପ୍ରମୁଖ ସହର ମଧ୍ୟରେ ସୀମିତ ରହିଛି। ସନ୍ତୁଳିତ ସହରୀକରଣ ଲକ୍ଷ୍ୟ ହାସଲ କରିବା ଲାଗି ଛୋଟ ସହରଗୁଡ଼ିକରେ ନିବେଶ କରିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ରିୟଲ ଇଷ୍ଟେଟ୍‌ ଡେଭେଲପର୍‌ମାନଙ୍କୁ ଆହ୍ବାନ ଦେଇଛନ୍ତି। ନଅ ବର୍ଷ ବ୍ୟବଧାନ ପରେ ଭୁବନେଶ୍ବରରେ ଆୟୋଜିତ କ୍ରେଡାଇର ଅସାଧାରଣ ସାଧାରଣ ବୈଠକ (ଇଜିଏମ୍‌) ୨୦୨୫କୁ ସମ୍ବୋଧିତ କରି ସେ ରିୟଲ ଇଷ୍ଟେଟ୍‌ ଶିଳ୍ପକୁ ସୁଲଭ ବାସଗୃହ, ସବୁଜ ବିକାଶ ଏବଂ ଡିଜିଟାଲ୍‌ ଭିତ୍ତିଭୂମିରେ ନିବେଶ କରିବାକୁ କହିଛନ୍ତି। ଏଥି ସହିତ ସଚ୍ଚୋଟ ବ୍ୟବସାୟ ଅଭ୍ୟାସ ଓ ଗ୍ରାହକ କୈନ୍ଦ୍ରୀକ ପଦକ୍ଷେପ ଗ୍ରହଣ କରି ଏହି କ୍ଷେତ୍ରରେ ବିଶ୍ବାସ ବଢ଼ାଇବାକୁ ସେ ଡେଭେଲପରମାନଙ୍କୁ ପରାମର୍ଶ ଦେଇଛନ୍ତି। 

Advertisment

ସ୍ବ‌ଦେଶ ରାଉତରାୟ କ୍ରେଡାଇ  (ପୂର୍ବ) ନୂଆ ଉପସଭାପତି

ଏହି ଅବସରରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ ରିୟଲ୍‌ ଇଷ୍ଟେଟ୍‌ ଡେଭେଲପର୍‌ମାନଙ୍କୁ ରାଷ୍ଟ୍ର ଗଠନର ବିଶ୍ବକର୍ମା ଭାବେ ଅଭିହିତ କରିଥିଲେ। କ୍ରେଡାଇର ଜାତୀୟ ସଭାପତି ଶେଖର ଜି ପଟେଲ୍‌ କହିଥିଲେ ଯେ ଖୁବ୍‌ଶୀଘ୍ର ଭୁବନେଶ୍ବରକୁ ଭାରତର ଶ୍ରେଷ୍ଠ ୫୦ ରିୟଲ ଇଷ୍ଟେଟ୍‌ ବଜାର ଭି‌ତରେ ଦେଖିବାକୁ ମିଳିବ। ରେରା ଲାଗୁ ହେବା ପରେ ୯୫ ପ୍ରତିଶତ ବଜାର ସଂଗଠିତ ହୋଇଥିବା ସେ କହିଛନ୍ତି। କ୍ରେଡାଇର ନିର୍ବାଚିତ ଜାତୀୟ ସଭାପତି ଜି ରାମ ରେଡ୍ଡି ଏହା ନୀତି ନିର୍ଧାରଣ ଓ ଶିଳ୍ପ ବିକାଶ ପାଇଁ ସଂଘ ଦେଉଥିବା ପରାମର୍ଶଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ କେଡ୍ରାଇର ନୂଆ ପୂର୍ବାଞ୍ଚଳ ଶାଖାର ଉପସଭାପତି ଭାବେ ସ୍ବଦେଶ କୁମାର ରାଉତରାୟଙ୍କ ନାମ ଘୋଷଣା କରାଯାଇଥିଲା। ବୈଠକରେ କ୍ରେଡାଇ ଭୁବନେଶ୍ବର ସଭାପତି ସୋଫିଆ ‌ଫିର୍ଦୋସ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଅନୀଲ ଅଗ୍ରୱାଲ୍ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରେଡାଇର ଜାତୀୟ ସଭାପତି ଶେଖର ପଟେଲ୍‌, ସମ୍ପାଦକ ଗୌରବ ଗୁପ୍ତା, ଜାତୀୟ ସଦସ୍ୟ ଶାନ୍ତିଲାଲ କଟାରିଆ, ପୂର୍ବତନ ଜାତୀୟ ସଭାପତି ଶେଖର ରେଡ୍ଡି, ଶଙ୍କର ରେଡ୍ଡି ଓ ଅନ୍ୟମାନେ ଉପସ୍ଥିତ ଥିଲେ।