ସୋରିଷ ତେଲକୁ ଛାଡ଼ି ଅନ୍ୟ ଖାଇବା ତେଲ ଅଧିକ ପରିମାଣରେ ରପ୍ତାନି କରିବାକୁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ : ସୋରିଷ ତେଲକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାରର ଖାଇବା ତେଲ ଅଧିକ ମାତ୍ରାରେ ରପ୍ତାନି ଉପରେ ଲାଗିଥିବା କଟକଣା ଉଚ୍ଛେଦ କରିବା ଲାଗି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ମଞ୍ଜୁରି ମିଳିଛି । ଅନ୍ୟପଟେ ସୋରିଷ ତେଲ ଲାଗି ଟନ ପ୍ରତି ୯୦୦ ଆମେରିକୀୟ ଡଲାରର ସର୍ବନିମ୍ନ ମୂଲ୍ୟରେ ୫ କିଲୋଗ୍ରାମର ଉପଭୋକ୍ତା ପ୍ୟାକରେ ରପ୍ତାନିକୁ ଅନୁମତି ଦିଆଯାଇଛି ।

ସମସ୍ତ ପ୍ରକାରର ଖାଇବା ତେଲର ରପ୍ତାନି ଉପରେ ଲାଗିଥିବା କଟକଣା ଉଚ୍ଛେଦ କରାଯିବା ଦ୍ୱାରା ଖାଇବା ତେଲର ଅତିରିକ୍ତ ବିପଣନ ସୁଯୋଗ ଉପଲବ୍ଧ ହେବ । ଏହାଦ୍ୱାରା କୃଷକମାନେ ତୈଳବୀଜରୁ ଅଧିକ ଉପାର୍ଜ୍ଜନ କରିପାରିବେ ଓ ଏହାଦ୍ୱାରା ସେମାନେ ଲାଭାନ୍ୱିତ ହୋଇପାରିବେ । ଖାଇବା ତେଲର ରପ୍ତାନିକୁ ଅନୁମତି ମିଳିବା ଦ୍ୱାରା ଧିମା ହୋଇଯାଇଥିବା ଖାଇବା ତେଲ ଉଦ୍ୟୋଗର କ୍ଷମତା ବୃଦ୍ଧି ପାଇବ । ଏହାଦ୍ୱାରା ରପ୍ତାନି ପ୍ରତିବନ୍ଧକ ଏବଂ ଅନ୍ୟ ପ୍ରକାରର ରିହାତି କାରଣରୁ ଉତ୍ପନ୍ନ ହେଉଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦୂର ହୋଇପାରିବ । ବ୍ୟବସାୟ ସୁଗମ ହେବାର ମାର୍ଗ ପ୍ରଶସ୍ତ ହେବ ।

ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସମିତିକୁ କ୍ଷମତା ସମ୍ପନ୍ନ କରିବା ପ୍ରସ୍ତାବକୁ ମଧ୍ୟ ସିସିଇଏ ଅନୁମତି ଦେଇଛନ୍ତି । ସମିତି ନିକଟରେ ଘରୋଇ ଉତ୍ପାଦ ଓ ଚାହିଦା, ଘରୋଇ ଓ ଅନ୍ତର୍ଜାତୀୟ ମୂଲ୍ୟ ଓ ଅନ୍ତର୍ଜାତୀୟ ବ୍ୟାପାରର ପରିମାଣ ଆଧାରରେ ବିଭିନ୍ନ ପ୍ରକାରର ଖାଇବା ତେଲର ଆମଦାନୀ-ରପ୍ତାନୀ ନୀତିର ସମୀକ୍ଷା କରିବା ଏବଂ ତାହା ଉପରେ ମାତ୍ରାଧିକ ପ୍ରତିବନ୍ଧକ, ପୂର୍ବ ପଞ୍ଜିକରଣ, ସର୍ବନିମ୍ନ ରପ୍ତାନି ମୂଲ୍ୟ ନିର୍ଦ୍ଧାରଣ କରିବା ଓ ଆମଦାନୀ ଶୁଳ୍କରେ ପରିବର୍ତ୍ତନ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାର ଅଧିକାର ରହିବ ।

ସମ୍ବନ୍ଧିତ ଖବର