ବିବାଦୀୟ ପ୍ରଶ୍ନ ଏଡ଼ାଇଗଲେ ଉର୍ଜିତ

ମୁମ୍ବାଇ: ଗତ ଅକ୍ଟୋବରରେ ସରକାର-ରିଜର୍ଭ ବ୍ୟାଙ୍କ ବିବାଦ ସାର୍ବଜନୀନ ହେବା ପରେ ପ୍ରଥମ ଥର ପାଇଁ ଆଜି ଗଣମାଧ୍ୟମକୁ ସାମ୍ନା କରିଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌। ସରକାରଙ୍କ ସହ ବିବାଦ ସମ୍ପର୍କରେ ପଚରାଯାଇଥିବା ସବୁ ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ। ଉର୍ଜିତ କହିଥିଲେ ଯେ, ମୁଁ ଏହି ପ୍ରଶ୍ନଗୁଡ଼ିକୁ ଏଡ଼ାଇ ଯାଉଛି, କାରଣ ଆମେ ଏଠାରେ ମୁଦ୍ରାନୀତି ବିଷୟରେ ଆଲୋଚନା କରୁଛୁ। ରିଜର୍ଭ ବ୍ୟାଙ୍କ ନିୟମର ଧାରା ୭, ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ମନ୍ତବ୍ୟ ଓ ପ୍ରସ୍ତାବିତ ଅର୍ଥନୈତିକ ପୁଞ୍ଜି ରୂପରେଖ ଉପରେ ଉର୍ଜିତଙ୍କୁ ଗଣମାଧ୍ୟମ ତରଫରୁ ପ୍ରଶ୍ନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ଅକ୍ଟୋବରରେ ଏକ ସାର୍ବଜନୀନ ସଭାରେ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଅଭିଯୋଗ କରିଥିଲେ ଯେ ରିଜର୍ଭ ବ୍ୟାଙ୍କ କାମରେ ସରକାର ହସ୍ତକ୍ଷେପ କରୁଛନ୍ତି। ଏହାର ପରିଣାମ ଭୟଙ୍କର ହୋଇପାରେ ବୋଲି ସେ ସାବଧାନ କରାଇଦେଇଥିଲେ। ଏହି ଘଟଣାରୁ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ଜଣାପଡ଼ିଥିଲା। ଡଜନେରୁ ଅଧିକ ଦାବିକୁ ମାନିବାକୁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ଚାପ ପକାଉଛନ୍ତି। ସେଥି ମଧ୍ୟରୁ ଅନେକ ଦାବିକୁ ମାନିବାକୁ ରିଜର୍ଭ ବ୍ୟାଙ୍କ ନାରାଜ ହେବା ପରେ ଧାରା ୭କୁ ପ୍ରଥମ ଥର ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ଲାଗୁ କରିଥିବା ଚର୍ଚା ହେଉଛି। ଅବଶ୍ୟ ଏହି ଧାରା ଲାଗୁ କରାଯାଇଛି ନା ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୧ଟି ସରକାରୀ ବ୍ୟାଙ୍କ ଉପରେ ଋଣ ଆବଣ୍ଟନ କଟକଣା ଜାରି କରାଯାଇଛି। ତାହାକୁ କୋହଳ କରିବାକୁ ସରକାର ଦାବି କରୁଛନ୍ତି। ରିଜର୍ଭ ବ୍ୟାଙ୍କ ପାଖରେ ଯେଉଁ ୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ଭଣ୍ଡାର ରହିଛି ତାହାର କିଛି ଭାଗ ପାଇବାକୁ ସରକାର ଦାବି କରୁଛନ୍ତି। ଏହା ବ୍ୟତୀତ ଏନ୍‌ପିଏକୁ ନେଇ ମଧ୍ୟ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ରହିଛି।

ସୁଧ ହାର ବଦଳିଲାନି
ମୁମ୍ବାଇ: ଯାହା ଆଶା କରାଯାଉଥିଲା ତାହା ହୋଇଛି। ମୁଦ୍ରାନୀତି ସମୀକ୍ଷା କରି ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୬.୫% ଓ ରିଭର୍ସ ରେପୋ ହାରକୁ ୬.୨୫%ରେ ଅପରିବର୍ତ୍ତିତ ରଖିଛନ୍ତି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତ ଜୁନ୍ ମାସ ପରେ ଲଗାତାର ସୁଧ ହାର ବଢ଼ାଇବା ପରେ ଅକ୍ଟୋବରରେ ହଠାତ ସୁଧ ହାରକୁ ରିଜର୍ଭ ବ୍ୟାଙ୍କ ଅପରିବର୍ତ୍ତିତ ରଖିଥିଲା। ଏଥର ମଧ୍ୟ ସୁଧ ହାର ବଦଳିବନି ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଥିଲେ, ଯାହା ସତ ହୋଇଛି। ଯଦି ସବୁ କିଛି ଠିକ୍ ରହିବ ତେବେ ଆସନ୍ତା ମାର୍ଚରେ ସୁଧ ହାର କମ୍ କରାଯାଇପାରେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁଧ ହାର ନିର୍ଧାରଣ କରୁଥିବା ମୁଦ୍ରାନୀତି କମିଟିର ପରବର୍ତି ବୈଠକ ୨୦୧୯ ଫେବ୍ରୁଆରି ୫ରେ ହେବ। ଦେଶର ଅର୍ଥନୀତି ବିଷୟରେ ପୂର୍ବାନୁମାନ କରି ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ, ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭.୪% ରହିବ। ୨୦୧୯-୨୦ରେ ତାହା ୭.୫%କୁ ବୃଦ୍ଧି ପାଇବ। ସେହିପରି ଆସନ୍ତା ମାର୍ଚ ମାସ ମଧ୍ୟରେ ମୁଦ୍ରାସ୍ଫୀତି ହାର ୨.୭-୩.୨% ମଧ୍ୟରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।

ସମ୍ବନ୍ଧିତ ଖବର