ମୋଦୀ ସରକାରଙ୍କ ବଡ଼ ଆର୍ଥିକ ସଂସ୍କାର : ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇ ୧୨ଟି ବ୍ୟାଙ୍କ ହେବ

ନୂଆଦିଲ୍ଲୀ : ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ତାହାର ମୁକାବିଲା ପାଇଁ ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି । ଆଜି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ସଂପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ମୋଟ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୧୨ଟି ବ୍ୟାଙ୍କରେ ପରିଣତ କରାଯିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କର ମିଶ୍ରଣ କରି ଏକ ବୃହତ ବ୍ୟାଙ୍କ ଗଠନ କରାଯିବ । ଷ୍ଟେଟ ବ୍ୟାଙ୍କ ପରେ ଏହି ବ୍ୟାଙ୍କ ଦେଶର ୨ୟ ବୃହତ୍ତମ ବ୍ୟାଙ୍କ ହେବ । ଏହି ନୂଆ ବ୍ୟାଙ୍କର ମୋଟ ୧୧,୪୩୭ଟି ଶାଖା ରହିବ ଓ ମୋଟ ବ୍ୟବସାୟ ପରିମାଣ ୧୭ ଲକ୍ଷ ୯୫ ହଜାର କୋଟିକୁ ବୃଦ୍ଧି ପାଇବ ।

ସେହିପରି କାନାରା ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ କରାଯିବ । ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହେବ । ଏଥିସହ ଆହ୍ଲାବାଦ ବ୍ୟାଙ୍କରେ ଇଣ୍ଡିଆନ ବ୍ୟାଙ୍କର ବିଲୟ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଷ୍ଟେଟ ବ୍ୟାଙ୍କ ଓ ଏହାର ବିଭିନ୍ନ ସହଯୋଗୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇସାରିଛି ।

ଏହି ଘୋଷଣା କରି ସୀତାରମଣ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକର ବ୍ୟବସାୟିକ କାର୍ଯ୍ୟରେ କୌଣସି ସରକାରୀ ହସ୍ତକ୍ଷେପ ହେବ ନାହିଁ । ବ୍ୟାଙ୍କ ଗୁଡ଼ିକରେ ସରକାର ଅଧିକ ପୁଞ୍ଜିଭର୍ତ୍ତି କରିବା ସହ ସେଗୁଡ଼ିକର ପରିଚାଳନା ଢାଞ୍ଚାକୁ ଉନ୍ନତ କରାଯିବ । ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରିଥିଲେ । ସେହିପରି ଗତ ବୁଧବାରଦିନ କେନ୍ଦ୍ର କ୍ୟାବିନେଟ ମଧ୍ୟ ଏଫଡିଆଇ ଆକୃଷ୍ଟ କରିବାକୁ କେତେକ ଘୋଷଣା କରିଥିଲେ । ଖଣି ଖନନ, କଣ୍ଟ୍ରାକ୍ଟ ମାନୁଫାକଚରିଂ ଓ ଡିଜିଟାଲ ମିଡିଆକୁ ଏଫଡିଆଇ ପାଇଁ ଖୋଲିବା ବିଷୟରେ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର