ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା : ପିଏନବି, ଓବିସି ଓ ୟୁନାଇଟେଡ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହେବ, କାନାରା ବ୍ୟାଙ୍କ ଓ ସିଣ୍ଡିକେଟ୍‌ ବ୍ୟାଙ୍କ ବି ମିଶିବେ

ନୂଆଦିଲ୍ଲୀ : ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ତାହାର ମୁକାବିଲା ପାଇଁ ସରକାର ଆର୍ଥିକ ସଂସ୍କାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛନ୍ତି । ଆଜି କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ସଂପର୍କରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କର ମିଶ୍ରଣ କରି ଏକ ବୃହତ ବ୍ୟାଙ୍କ ଗଠନ କରାଯିବ । ସେହିପରି କାନାରା ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ କରାଯିବ । ଏହି ଘୋଷଣା କରି ସୀତାରମଣ କହିଛନ୍ତି ଯେ ବ୍ୟାଙ୍କଗୁଡ଼ିକର ବ୍ୟବସାୟିକ କାର୍ଯ୍ୟରେ କୌଣସି ସରକାରୀ ହସ୍ତକ୍ଷେପ ହେବ ନାହିଁ । ବ୍ୟାଙ୍କ ଗୁଡ଼ିକରେ ସରକାର ଅଧିକ ପୁଞ୍ଜିଭର୍ତ୍ତି କରିବା ସହ ସେଗୁଡ଼ିକର ପରିଚାଳନା ଢାଞ୍ଚାକୁ ଉନ୍ନତ କରାଯିବ ।
ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରିଥିଲେ । ସେହିପରି ଗତ ବୁଧବାରଦିନ କେନ୍ଦ୍ର କ୍ୟାବିନେଟ ମଧ୍ୟ ଏଫଡିଆଇ ଆକୃଷ୍ଟ କରିବାକୁ କେତେକ ଘୋଷଣା କରିଥିଲେ । ଖଣି ଖନନ, କଣ୍ଟ୍ରାକ୍ଟ ମାନୁଫାକଚରିଂ ଓ ଡିଜିଟାଲ ମିଡିଆକୁ ଏଫଡିଆଇ ପାଇଁ ଖୋଲିବା ବିଷୟରେ ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର