ବ୍ୟାଙ୍କ ସେବାର ଗୁଣବତ୍ତା ବାବଦରେ ଲୋକଙ୍କ ମତ ସଂଗ୍ରହ କରାଯିବ

୮୦ ହଜାର କୋଟିର ପୁନଃପୁଞ୍ଜିକରଣ ଯୋଜନା ଘୋଷଣା କଲେ ସରକାର

ନୂଆଦିଲ୍ଲୀ : ସରକାର ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକରେ ପ୍ରାୟ ୮୦ ହଜାର କୋଟିର ପୁନଃପୁଞ୍ଜିକରଣ କରିବେ । ଏ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ଘୋଷଣା କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଫଳରେ ବଢିଚାଲିଥିବା ଏନପିଏ ବା ଅନାଦେୟ ଋଣ ଯୋଗୁଁ ସଂକଟରେ ପଡିଥିବା ବ୍ୟାଙ୍କମାନଙ୍କ ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି ।

ତେବେ ବ୍ୟାଙ୍କ ସଂସ୍କାରର ଏକ ପ୍ରମୁଖ ବିଷୟ ହେଲା ଯେ ବ୍ୟାଙ୍କ ମାନଙ୍କ ସେବା ଗୁଣବତ୍ତା ସମ୍ପର୍କରେ ଲୋକମାନଙ୍କର ବିଚାରର ଆକଳନ କରିବା ଲାଗି ଏକ ସ୍ୱାଧୀନ ସଂସ୍ଥା ଦ୍ୱାରା ପ୍ରତିବର୍ଷ ସର୍ବେକ୍ଷଣ କରାଯିବ । ଏହା ସହିତ ସର୍ବେକ୍ଷଣର ଫଳାଫଳ ପ୍ରତିବର୍ଷ ପ୍ରକାଶ କରାଯିବ ।
“୨୦୧୭-୧୮ ବର୍ଷର ପୁଞ୍ଜି ନିବେଶ ଯୋଜନାରେ ପୁନଃପୁଞ୍ଜିକରଣ ବଣ୍ଡ ଜରିଆରେ ୮୦ ହଜାର କୋଟି ଟଙ୍କା ଏବଂ ବଜେଟ ସହାୟତା ରୂପରେ ୮,୧୩୯ କୋଟି ଟଙ୍କା ସାମିଲ ରହିଛି । ଏହି ଯୋଜନା ଦ୍ୱାରା ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକର ପୁଞ୍ଜି ଆବଶ୍ୟକତା ପୂରଣ କରାଯିବ “ ଜେଟଲୀ କହିଛନ୍ତି ।

ପୁନଃପୁଞ୍ଜିକରଣ ଏକ ସୁଦୃଢ଼ ସଂସ୍କାର ପ୍ୟାକେଜ ଯେଉଁଥିରେ ୬ ଟି ମୂଳ ବିଷୟ ସାମିଲ ରହିଛି, ଏଥିରେ ୩୦ ଟି କାର୍ଯ୍ୟ ବିନ୍ଦୁ ଆକଳନ କରାଯାଇଛି । ସଂସ୍କାର ଏଜେଣ୍ଡା ନଭେମ୍ବର ୨୦୧୭ରେ ହୋଇଥିବା ପିଏସବି ମନ୍ଥନରେ କରାଯାଇଥିବା ସୁପାରିସ ଉପରେ ଆଧାରିତ । ସଂସ୍କାର ଏଜେଣ୍ଡାର ଉଦ୍ଦେଶ୍ୟରେ ଇଏଏସଇ-ବ୍ୟାପକ ଗ୍ରହଣୀୟତା ଓ ସେବାରେ ଉକ୍ରର୍ଷତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଗ୍ରାହକଙ୍କ ପ୍ରତି ଉତ୍ତରଦାୟିତ୍ୱର ୬ଟି ମୂଳ ବିଷୟ ରହିଛି । ସେଗୁଡ଼ିକ ହେଉଛି ଉତ୍ତରଦାୟୀ ବ୍ୟାଙ୍କିଙ୍ଗ, ଋଣରେ ବୃଦ୍ଧି, ଉଦ୍ୟୋଗୀ ମିତ୍ର ରୂପରେ ପିଏସବି, ଆର୍ଥିକ ଅନ୍ତର୍ଭୂକ୍ତିକରଣ, ଡିଜିଟାଲାଇଜେସନ ତଥା ବ୍ରାଣ୍ଡ ପିଏସବି ଲାଗି କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ଏହା କାର୍ଯ୍ୟ କରୁଛି ।

ସମ୍ବନ୍ଧିତ ଖବର