ଲକ୍ଷ୍ମୀ ବିଳାସ-ଡିବିଏସ ବ୍ୟାଙ୍କ ମିଶ୍ରଣକୁ କେନ୍ଦ୍ରର ମଂଜୁରୀ, ନଗଦ ଉଠାଣ କଟକଣା ଉଠିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଓ ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ମିଶ୍ରଣ ପାଇଁ ରିଜର୍ଭ ବ୍ୟାଙ୍କ ଦେଇଥିବା ପ୍ରସ୍ତାବକୁ ମଂଜୁର କରିଛନ୍ତି । ଏହା ସହିତ ନଗଦ ଉଠାଣ ପାଇଁ ଥିବା କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ  ଦିଆଯାଇଛି । ଏହି ମିଶ୍ରଣ ଦ୍ବାରା ଲକ୍ଷ୍ମୀ ବିଳାସ ବ୍ୟାଙ୍କର ପ୍ରାୟ ୨୦ ଲକ୍ଷ ଜମାକାରୀ ଓ ପ୍ରାୟ ୪ ହଜାର କର୍ମଚାରୀଙ୍କ ସ୍ବାର୍ଥ ରକ୍ଷା ହୋଇପାରିବ ।

ରିଜର୍ଭ ବ୍ୟାଙ୍କର ସୁପାରିଶ କ୍ରମେ କେନ୍ଦ୍ର ସରକାର ଗତ ୧୭ ତାରିଖରେ ଏହି ସଂକଟଗ୍ରସ୍ତ ବ୍ୟାଙ୍କକୁ ଏକ ମାସ ପାଇଁ ମୋରାଟୋରିୟମ ମଧ୍ୟରେ ରଖିବା ସମ୍ପର୍କରେ ଘୋଷଣା କରିଥିଲେ  । ଏହି ମୋରାଟୋରିୟମ ସମୟ ଆସନ୍ତା ଡିସେମ୍ବର ୧୬ ପର୍ଯ୍ୟନ୍ତ ଲାଗୁ ରହିବ । ଏହା ସହିତ ଏହି ବ୍ୟାଙ୍କରୁ ନଗଦ ଉଠାଣ ସୀମାକୁ ୨୫ ହଜାର ମଧ୍ୟରେ ସୀମିତ ରଖାଯାଇଥିଲା ।  ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଲକ୍ଷ୍ମୀ ବିଳାଶ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସକୁ ଭାଙ୍ଗିଦେବା ସହ କାନାରା ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଟି.ଏନ. ମନୋହରନଙ୍କୁ ପ୍ରଶାସକ ନିଯୁକ୍ତ କରିଥିଲା ।

ରିଜର୍ଭ ବ୍ୟାଙ୍କ ଦ୍ବାରା ପ୍ରସ୍ତୁତ ଲକ୍ଷ୍ମୀ ବିଳାଶ ଓ ଡିବିଏସ ବ୍ୟାଙ୍କ ମିଶ୍ରଣ ଯୋଜନା ଅନୁସାର ଡିବିଏସ ଏହି ମିଶ୍ରିତ ବ୍ୟାଙ୍କରେ ୨୫୦୦ କୋଟି ନିବେଶ କରିବ ।

ସମ୍ବନ୍ଧିତ ଖବର