ସରକାରୀ ବ୍ୟାଙ୍କ ପ୍ରତି ଘଣ୍ଟାରେ ହରାଇଛନ୍ତି ୯ କୋଟି

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷ (୨୦୧୭-୧୮)ରେ ସରକାରୀ ବ୍ୟାଙ୍କଗୁଡ଼ିକ ଦିନକୁ ୨୧୭ କୋଟି ଟଙ୍କା ହରାଇଛନ୍ତି। ଘଣ୍ଟା ପିଛା ଯଦି ଏହାକୁ ହିସାବ କରାଯିବ ତେବେ ସେମାନେ ପ୍ରତି ଘଣ୍ଟାରେ ୯ କୋଟି ଟଙ୍କା ଓ ପ୍ରତି ମିନିଟ୍‌ରେ ୧୫ ଲକ୍ଷ ଟଙ୍କା ହରାଇଛନ୍ତି। ୨୦୧୭-୧୮ରେ ସରକାରୀ ବ୍ୟାଙ୍କଗୁଡ଼ିକର ମୋଟ କ୍ଷତି ପରିମାଣ ୭୯ ହଜାର କୋଟି ଟଙ୍କା ଥିଲା। ସେହି ସମୟରେ ଏନ୍‌ପିଏ (ଅନାଦେୟ ଋଣ) ପରିମାଣ ୮ ଲକ୍ଷ ୬୦ ହଜାର କୋଟି ଟଙ୍କା ଥିଲା। ଦେଶର ବ୍ୟାଙ୍କିଙ୍ଗ୍‌ ଇତିହାସରେ କ୍ଷତି ଓ ଏନ୍‌ପିଏ ପରିମାଣ କେବେବି ଏଭଳି ସ୍ତରରେ ପହଞ୍ଚିନଥିଲା। ଦେଶରେ ମାଗଣା ଏଲ୍‌ପିଜି ସଂଯୋଗ ପ୍ରଦାନ କରିବା ପାଇଁ ୧୩ ହଜାର କୋଟି ଟଙ୍କା ଦରକାର। କୃଷି ବଜେଟ୍‌ର ପରିମାଣ ହେଉଛି ୫୮ ହଜାର କୋଟି ଟଙ୍କା। ସବୁ କେନ୍ଦ୍ରୀୟ ସ୍କିମ୍‌ର ବଜେଟ୍‌ ଅଟ୍ଟକଳକୁ ଯଦି ମିଶାଇ ଦିଆଯିବ ତେବେ ତାହାର ପରିମାଣ ୭ ଲକ୍ଷ ୧୦ ହଜାର କୋଟି ଟଙ୍କା ହେବ। ୨୦୧୭-୧୮ରେ ସରକାରୀ ବ୍ୟାଙ୍କଗୁଡ଼ିକ ଯେତିକି ଟଙ୍କା ହରାଇଛନ୍ତି, ଉପର ଲିଖିତ ସବୁ କାମ ସେହି ଟଙ୍କାରେ ହୋଇଯାଇଥାନ୍ତା ଓ ଶହ ଶହ କୋଟି ଟଙ୍କାର ବଳକା ମଧ୍ୟ ରହିଥାନ୍ତା। ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱାସ୍ଥ୍ୟ ସୁଧାରିବା ପାଇଁ ଗତବର୍ଷ କେନ୍ଦ୍ର ସରକାର ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରିଥିଲେ। ସେଥିରୁ ୯୦ ହଜାର କୋଟି ଟଙ୍କା ୨୦୧୭-୧୮ ବର୍ଷ ପାଇଁ ପ୍ରଦାନ କରାଯାଇଛି। ବଳକା ଅର୍ଥ ଚଳିତ ଆର୍ଥିକ ବର୍ଷ (୨୦୧୮-୧୯)ରେ ପ୍ରଦାନ କରାଯିବ। ବ୍ୟାଙ୍କଗୁଡ଼ିକର କ୍ଷତି ପରିମାଣ ବଢ଼ିଚାଲିଥିବାରୁ ସରକାର ଯେଉଁ ଆର୍ଥିକ ସହାୟତା ଦେଉଛନ୍ତି ତାହାର କିଛି ଲାଭ ମିଳିବ ନାହିଁ। ତାହା କେବଳ କ୍ଷତି ଭରଣା କାମ କରିବ। ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ତାହା ସୁଧାରି ପାରିବ ନାହିଁ। ଏନପିଏ (ଅନାଦେୟ ଋଣ)କୁ ନେଇ ନିୟମକୁ କଡ଼ାକଡ଼ି କରାଯିବା ପରେ ସରକାରୀ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରଥମେ ଏନ୍‌ପିଏ ନିୟମକୁ କଡ଼ାକଡ଼ି କରିଥିଲେ। ତାଙ୍କ ଉତ୍ତରାଧିକାରୀ ଉର୍ଜିତ ପଟେଲ୍‌ ସେହି ନିୟମକୁ ଆହୁରି କଡ଼ାକଡ଼ି କରିବା ସହିତ ଯେତେ ପ୍ରକାର ଋଣ ପୁନର୍ଗଠନ ସ୍କିମ୍‌ ଥିଲା ତାହାକୁ ରଦ୍ଦ କରିଦେଇଥିଲେ। ଏବେ ବ୍ୟାଙ୍କଗୁଡ଼ିକ ଏନ୍‌ପିଏ ଯୋଗୁଁ ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ଲାଭର କିଛି ଅଂଶକୁ ଅଲଗା ରଖୁଛନ୍ତି।

ସମ୍ବନ୍ଧିତ ଖବର