‘ସରକାରୀ ବ୍ୟାଙ୍କର ଘରୋଇକରଣ ହେବନି’

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର ଘରୋଇକରଣ ଚର୍ଚାକୁ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି। ଏଭଳି ପଦକ୍ଷେପ ରାଜନୈତିକ ଦୃଷ୍ଟିକୋଣରୁ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପିଏନ୍‌ବି ଠକେଇ ଜଣାପଡ଼ିବା ପରେ ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ କରିଦେବାକୁ ଜୋରସୋର ଚର୍ଚା ହୋଇଥିଲା। ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଜେଟ୍‌ଲି କହିଛନ୍ତି ଯେ ସରକାରୀ ବ୍ୟାଙ୍କର ଘରୋଇକରଣ କରିବା ଏକ ଜଟିଳ ବ୍ୟାପାର। ଏଥିପାଇଁ ରାଜନୈତିକ ସହମତି ହାସଲ କରିବାକୁ ପଡ଼ିବ। ବ୍ୟାଙ୍କିଙ୍ଗ ନିୟାମକ ନିୟମରେ ସଂଶୋଧନ କରିବାକୁ ହେବ। ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଭାରତୀୟ ରାଜନେତାମାନେ ସହମତ ହେବେ ନାହିଁ ବୋଲି ଜେଟ୍‌ଲି କହିଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକର ଘରୋଇକରଣ କରି ଦେଶରେ ୨-୩ଟି ବ୍ୟାଙ୍କ ରଖିବା ପାଇଁ ଫିକିର ସଭାପତି ରାଶେଶ ଶାହ ଅର୍ଥମନ୍ତ୍ରୀ ଜେଟ୍‌ଲିଙ୍କୁ ଭେଟି ଅନୁରୋଧ କରିଥିଲେ। ଶିଳ୍ପ ସଂଘ ଆସୋଚାମ୍‌ ପକ୍ଷରୁ ମଧ୍ୟ ସରକାରୀ ବ୍ୟାଙ୍କର ଘରୋଇକରଣ କରିବାକୁ ଦାବି କରାଯାଉଛି। ଗୋଦରେଜ୍‌ ଗ୍ରୁପ୍‌ର ଆଦି ଗୋଦ୍‌ରେଜ୍‌, ବଜାବ ଗ୍ରୁପ୍‌ର ରାହୁଲ ବଜାଜ୍‌ ମଧ୍ୟ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଶିଳ୍ପ ମହାସଂଘ ସିଆଇଆଇ ପକ୍ଷରୁ ମଧ୍ୟ ସରକାରୀ ବ୍ୟାଙ୍କର ଘରୋଇକରଣ କରାଯିବା ଉପରେ ଜୋର ଦିଆଯାଇଛି।

ସମ୍ବନ୍ଧିତ ଖବର