ସରକାରୀ ବ୍ୟାଙ୍କ ପିଛା ଛାଡ଼ୁନି କ୍ଷତି

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକର କ୍ଷତି ଧାରା ଅବ୍ୟାହତ ରହିଛି। ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ସରକାରୀ ବ୍ୟାଙ୍କଗୁଡ଼ିକର ମୋଟ କ୍ଷତି ୧୪,୭୧୬ କୋଟି ଟଙ୍କା ହୋଇଛି। ଳିତ ବର୍ଷର ଏପ୍ରିଲ୍-ଜୁନ୍‌ ତିନି ମାସରେ ସରକାରୀ ବ୍ୟାଙ୍କଗୁଡ଼ିକର କ୍ଷତି ପରିମାଣ ୧୬,୬୧୪ କୋଟି ଟଙ୍କା ଥିଲା। ଏହାର ତିନି ମାସ ପରେ ସେମାନଙ୍କ କ୍ଷତି ପରିମାଣ ୨ ହଜାର କୋଟି ଟଙ୍କା କମିଛି। କିନ୍ତୁ ଏବେବି ୧୪ ହଜାର କୋଟି ଟଙ୍କାରୁ ଅଧିକ ସ୍ତରରେ ରହିଛି। ଏନ୍‌ପିଏ ଯୋଗୁ ହେବାକୁ ଥିବା କ୍ଷତି ଭରଣା କରିବା ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ପଡ଼ୁଥିବାରୁ ବ୍ୟାଙ୍କଗୁଡ଼ିକର କ୍ଷତି ବଢ଼ୁଥିବା କୁହାଯାଇଛି। ନିରବ ମୋଦୀଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି) ସର୍ବାଧିକ ୪୫୩୨ କୋଟି ଟଙ୍କାର କ୍ଷତି ସହିଛି। ଏନ୍‌ପିଏ ପାଇଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ୭୭୩୩ କୋଟି ଟଙ୍କା ଅଲଗା ରଖିଛି। ଆଇଡିବିଆଇ ବ୍ୟାଙ୍କ ୩୬୦୨ କୋଟି ଟଙ୍କା ଓ ଆହ୍ଲାବାଦ ବ୍ୟାଙ୍କ ୧୮୨୨ କୋଟି ଟଙ୍କାର କ୍ଷତି ସହିଛନ୍ତି। ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ଷ୍ଟେଟ୍‌ ବ୍ୟାଙ୍କ ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍ କମର୍ସ ଲାଭ କରିଛନ୍ତି। ଷ୍ଟେଟ୍‌ ବ୍ୟାଙ୍କ ୯୪୪ କୋଟି ଟଙ୍କା ଓ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ ୧୦୧ କୋଟି ଟଙ୍କାର ଲାଭ କରିଛି।

ସମ୍ବନ୍ଧିତ ଖବର