ରୁଷ ତେଲ କିଣିଲେ ସରକାରୀ ସଂସ୍ଥା, ରିଲାଏନ୍ସ କିଣିବନି

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ଆକ୍ରମଣ ଲାଗି ରୁଷକୁ ସାରା ବିଶ୍ବରେ ନିନ୍ଦା କରାଯାଉଥିବା ବେଳେ ଏହି ଦେଶ ମୋଟା ଅଙ୍କର ରିହାତିରେ ବିକ୍ରି କରୁଥିବା ତେଲ କିଣିବା ଲାଗି ଭାରତର ସରକାରୀ ତେଲ କଂପାନିଗୁଡ଼ିକ ଆଗେଇ ଆସିଛନ୍ତି। ଇଣ୍ଡିଆନ ଅଏଲ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ତେଲ କିଣିଛନ୍ତି। ମାଙ୍ଗାଲୋର ରିଫାଇନାରି ରୁଷରୁ ତେଲ କିଣିବା ଲାଗି ‌ଟେଣ୍ଡର ଆହ୍ବାନ କରିଛି। ୟୁରୋପର ଏକ ବ୍ୟବସାୟୀ ଭିଟଲ୍‌ ଜରିଆରେ ଇଣ୍ଡିଆନ ଅଏଲ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ରୁଷରୁ ତେଲ କିଣିଛନ୍ତି। କିନ୍ତୁ, ଘରୋଇ ତୈଳ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରୁଷ ତେଲ ଠାରୁ ନିଜକୁ ‌ଦୂରେଇ ରଖିଛି। ଏହି ସଂସ୍ଥାର ଅଧିକାଂଶ କାରବାରର ସମ୍ପର୍କ ଆମେରିକା ସହିତ ରହିଥିବାରୁ ଏହା ବର୍ତ୍ତମାନ ରୁଷ ସହ କୌଣସି କାରବାର କରିବାକୁ ଚାହୁନାହିଁ। ୟୁକ୍ରେନ୍ ଉପରେ ଜୋରଜବରଦସ୍ତି ଆକ୍ରମଣ କରିଥିବାରୁ ରୁଷ ଉପରେ ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ କଠୋର କଟକଣା ଲଗାଇଛନ୍ତି। ବହୁ ଦେଶ ରୁଷରୁ ତେଲ କିଣିବା ବନ୍ଦ କରିଦେଇଥିବାରୁ ସେହି ‌ତେଲ ଏବେ ବଜାରରେ ମୋଟା ଅଙ୍କର ରିହାତିରେ ଉପଲବ୍ଧ ହୋଇଛି। ଏହି ସୁଯୋଗ ହାତ ଛଡ଼ା କରିବାକୁ ଭାରତୀୟ କଂପାନିଗୁଡ଼ିକ ଚାହୁନାହାନ୍ତି। କଂପାନିଗୁଡ଼ିକ ତେଲ କିଣିବା ଲାଗି ଯେଉଁ ଟେଣ୍ଡର ଆହ୍ବାନ କରୁଛନ୍ତି ତାହା ସୁଲଭ ମୂଲ୍ୟରେ ରୁଷର ତେଲ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ପାଖକୁ ଯାଉଛି। ବ୍ୟାରେଲ ପିଛା ୨୫-୩୦ ଡଲାର କମ୍ ଦାମ୍‌ରେ ରୁଷର ଅଶୋଧିତ ତେଲ ଉରାଲ୍ କ୍ରୁଡ୍‌ ବିକ୍ରି ହେଉଛି। ଏଚ୍‌ପିସିଏଲ୍‌ ଦୁଇ ନିୟୁତ ତେଲ କିଣିଛି ଯାହାର ଡେଲିଭରି ମେ’ ମାସରେ ମିଳିବ। ୨୦୨୦ ପରଠାରୁ ଇଣ୍ଡିଆନ ଅଏଲ୍‌ ରୁଷର ତେଲ କଂପାନି ରୋଜନେଫ୍ଟ ଠାରୁ ନିର୍ଦିଷ୍ଟ ପରିମାଣ ତେଲ କିଣିବା ଜାରି ରଖିଛି। ଯୁଦ୍ଧ ପରେ ମଧ୍ୟ କଂପାନି ଏହି ସମ୍ପର୍କ ତୁଟାଇ ନାହିଁ।

ରୁଷ ଉପରେ ଆମେରିକା ଭଳି ଦେଶ ଯେଉଁ କଠୋର କଟକଣା ଲଗାଇଛନ୍ତି ସେଥିରେ ତେଲ କାରବାରକୁ ସାମିଲ କରାଯାଇନାହିଁ। ଏହାର ଅର୍ଥ ହେଉଛି ଯେକୌଣସି ଦେଶ ରୁଷରୁ ତେଲ ମଗାଇପାରିବେ। କିନ୍ତୁ ସେଭଳି କାରବାର କରିବା ପୂର୍ବରୁ ନିଜ ବିବେକକୁ ପ୍ରଶ୍ନ କରିବା ଲାଗି ଆମେରିକା ଆହ୍ବାନ ଦେଇଛି। ଯେହେତୁ ତେଲ କାରବାର ଉପରେ କଟକଣା ଲାଗିନାହିଁ ତେଣୁ ଏଥିପାଇଁ ଡଲାରରେ ପେମେଣ୍ଟ୍‌ କରିବାରେ କୌଣସି ଅସୁବିଧା ହେବ ନାହିଁ। ପାରମ୍ପରିକ ଭାବେ ଭାରତ ଇରାକ, ଇରାନ ଭଳି ଦେଶରୁ ଅଧିକ ତେଲ ମଗାଇଥାଏ। ମାତ୍ର ଓପେକ୍ ରାଷ୍ଟ୍ର ଦାମ୍ ବଢ଼ାଇବା ପରେ ଭାରତୀୟ କଂପାନିଗୁଡ଼ିକ ମଧ୍ୟ ପ୍ରାଚ୍ୟ ବ୍ୟତୀତ ଅନ୍ୟାନ୍ୟ ଦେଶରୁ ତେଲ ମଗାଇବା ବିଷୟରେ ଚିନ୍ତା କରିଥିଲେ। ରୁଷ, ଆମେରିକା ଭଳି ଦେଶରୁ ତେଲ କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତ ଆଉ ସାଉଦି ଆରବ ଭଳି ମଧ୍ୟ ପ୍ରାଚ୍ୟ ଦେଶ ଉପରେ ତେଲ ପାଇଁ ଅତ୍ୟଧିକ ନିର୍ଭରଶୀଳ ନୁହେଁ।

ସମ୍ବନ୍ଧିତ ଖବର