୬୦ରୁ ଅଧିକ ଇସ୍ପାତ ଶିଳ୍ପ ପ୍ରତିନିଧିଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା

ଭୁବନେଶ୍ବର: ଆସନ୍ତା ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ହାସଲ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ୬୦ରୁ ଅଧିକ ଇସ୍ପାତ କଂପାନିର ପ୍ରତିନିଧିଙ୍କ ସହ ଏନେଇ ଆଲୋଚନା କରିଛନ୍ତି। ସେ କହିଲେ, ଇସ୍ପାତ କଂପାନିଗୁଡ଼ିକୁ ରାଜ୍ୟ ସରକାର ଅନୁକୂଳ ପରିବେଶ ଯୋଗାଇ ଦେବାକୁ ପ୍ରସ୍ତୁତ। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ, ରାଜ୍ୟରେ ମୂଲ୍ୟଯୁକ୍ତ ଦ୍ରବ୍ୟ ଉତ୍ପାଦନ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଶିଳ୍ପ ସଂସ୍ଥାଗୁଡ଼ିକ ଏହାକୁ ଅଧିକ ଗୁରୁତ୍ବର ସହ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସେହି ସମୟରେ ଇଡ୍‌କୋର ମୁଖ୍ୟ ସଞ୍ଜୟ ସିଂହ କହିଛନ୍ତି ଯେ, ଇଡ୍‌କୋ ପକ୍ଷରୁ ଏକ ଲକ୍ଷ ଏକର ପରିମିତ ଶିଳ୍ପ ଉପଯୋଗୀ ଜମି ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଉଛି। କୁଶଳୀ କାରିଗର ଯୋଗାଣ ବଢ଼ାଇବା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଇସ୍ପାତ ଓ ଖଣି ବିଭାଗର ସ୍ବତନ୍ତ୍ର ସଚିବ ଏସ୍‌ କେ ପୋପଲି କହିଛନ୍ତି ଯେ, ଶିଳ୍ପ ସଂସ୍ଥାଗୁଡ଼ିକୁ କିଭଳି ସୁବିଧାରେ କଞ୍ଚାମାଲ ଯୋଗାଇ ଦିଆଯିବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି।

ସମ୍ବନ୍ଧିତ ଖବର