ପଛଘୁଞ୍ଚା ଦେଲେ ସରକାର

ବିବାଦୀୟ ବିଲ୍‌ ପ୍ରତ୍ୟାହାର ହେବ

ନୂଆଦିଲ୍ଲୀ: ବ୍ୟାଙ୍କ ଗୁଡ଼ିକ କ୍ଷତି କରିଲେ ବା ଆର୍ଥିକ ସଙ୍କଟ ଦେଇ ଗତି କରିଲେ ଲୋକଙ୍କ ଜମା ଟଙ୍କାକୁ ଉପଯୋଗ କରାଯିବା ନେଇ ଯେଉଁ ଆଶଙ୍କା ରହିଥିଲା ତାହା ଦୂର ହେବାକୁ ଯାଉଛି। ସରକାର ଜମାକାରୀଙ୍କ ଟଙ୍କା କ୍ଷତିଗ୍ରସ୍ତ ବ୍ୟାଙ୍କକୁ ପ୍ରଦାନ କରିବା ଲାଗି ଯେଉଁ ବିବାଦୀୟ ଆର୍ଥିକ ସଂକଳ୍ପ ଏବଂ ଜମା ବୀମା (ଏଫ୍‌ଆର୍‌ଡିଆଇ) ବିଲ୍‌ ଗତବର୍ଷ ସଂସଦରେ ଆଗତ କରିଥିଲେ ତାହାକୁ ଚଳିତ ଅଧିବେଶନରେ ପ୍ରତ୍ୟାହାର କରିନେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମଧ୍ୟ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଫଳରେ ବ୍ୟାଙ୍କରେ ଲୋକଙ୍କ ଜମା ଟଙ୍କା ସୁରକ୍ଷିତ ରହିବ। ଗତବର୍ଷ ଅଗଷ୍ଟରେ ଏହି ବିବାଦୀୟ ବିଲ୍‌ ସଂସଦରେ ଆଗତ ହୋଇଥିଲା। ସେତେବେଳେ ଦେଶରେ ଜନସାଧାରଣ ଏହାକୁ ପ୍ରବଳ ବିରୋଧ କରିବା ଆରମ୍ଭ କରିଦେଇଥିଲେ। ବିଶେଷକରି ଏହି ବିଲ୍‌ରେ ରହିଥିବା ‘ବେଲ୍‌ ଇନ୍‌’ ବା ବ୍ୟାଙ୍କକୁ ଉଦ୍ଧାର କରିବା ଧାରାକୁ ଜୋରଦାର ବିରୋଧ କରାଯାଇଥିଲା। ବ୍ୟାଙ୍କ କର୍ମଚାରୀ ସଂଘ ଗୁଡ଼ିକ ବି ଏହାକୁ ବିରୋଧ କରିଥିଲେ। ଏବେ ଏହି ବିଲ୍‌କୁ ଏକ ଯୁଗ୍ମ ସଂସଦୀୟ କମିଟି ଅନୁଧ୍ୟାନ କରୁଛି। କମିଟି ଏପର୍ଯ୍ୟନ୍ତ ଏହାର ରିପୋର୍ଟ ଦାଖଲ କରିନାହିଁ।

ବିଲ୍‌ରେ କ’ଣ ଥିଲା
ପ୍ରସ୍ତାବିତ ବିଲ୍‌ରେ ବ୍ୟାଙ୍କ, ବୀମା, କମ୍ପାନି, ଅଣ ବ୍ୟାଙ୍କିଂ ଆର୍ଥିକ ପ୍ରତିଷ୍ଠାନ ଏବଂ ଷ୍ଟକ ଏକ୍ସଚେଞ୍ଜ ଗୁଡ଼ିକ ଦେବାଳିଆ ହେଲେ ତାହା ଉପରେ ନଜର ରଖିବା ଲାଗି ଏକ ଢାଞ୍ଚା ପ୍ରସ୍ତୁତ କରିବା ନିମନ୍ତେ ଏହି ବିଲ୍‌ରେ ପ୍ରସ୍ତାବ ରହିଛି। ସେହିଭଳି ବ୍ୟାଙ୍କ ଗୁଡ଼ିକ ଯେଭଳି ଦେବାଳିଆ ନହେବେ ତାହାକୁ ଦେଖିବା ଲାଗି ଏକ ସଂକଳ୍ପ ନିଗମ (ରିଜୋଲ୍ୟୁସନ୍‌ କର୍ପୋରେସନ୍‌) ଗଠନ ପ୍ରସ୍ତାବ ଏହି ବିଲ୍‌ରେ ରହିଛି। ତେବେ ବିଲ୍‌ରେ ଜମାକାରୀଙ୍କ ଟଙ୍କାକୁ ବ୍ୟାଙ୍କର ଉଦ୍ଧାର ପାଇଁ ରହିଥିବା ବ୍ୟବସ୍ଥାକୁ ଦେଶରେ ତୀବ୍ର ବିରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର