ନୂଆଦିଲ୍ଲୀ: ଭାରତୀୟଙ୍କ ସ୍ବିସ୍ ବ୍ୟାଙ୍କ ତଥ୍ୟ ଦେବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ମନା କରିଦେଇଛି। ଭାରତ ଓ ସ୍ବିଜରଲ୍ୟାଣ୍ଡ୍ ମଧ୍ୟରେ ବ୍ୟାଙ୍କ ତଥ୍ୟ ଆଦାନପ୍ରଦାନକୁ ନେଇ ସ୍ବାକ୍ଷରିତ ହୋଇଥିବା ଚୁକ୍ତିରେ ଏକ ‘ଗୋପନୀୟତା ସର୍ତ୍ତ’ ରହିଛି। ସେଥିପାଇଁ ଏହି ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ଏହି ତଥ୍ୟ ମଗାଯାଇଥିଲା। ବିଦେଶରୁ କେତେ ଟଙ୍କାର କଳାଧନ ମିଳିଛି ତାହାର ସୂଚନା ଦେବାକୁ ଯେଉଁ ଆବେଦନ କରାଯାଇଥିଲା, ସେହି ତଥ୍ୟ ମଧ୍ୟ ଦିଆଯାଇପାରିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସ୍ବିସ୍ ବ୍ୟାଙ୍କ ତଥ୍ୟ ପାଇବା ଲାଗି କରାଯାଇଥିବା ଆବେଦନର ଉତ୍ତରରେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଟିକସ ଚୁକ୍ତି ଆଧାରରେ ଆଦାନପ୍ରଦାନ କରାଯାଉଥିବା ସୂଚନା ଗୋପନୀୟତା ସର୍ତ୍ତ ଅଧୀନରେ ଆସୁଛି। ଏହି ତଥ୍ୟକୁ ସାର୍ବଜନୀନ ନକରିବା ଲାଗି ଆର୍ଟିଆଇ ନିୟମର ଧାରା ୮(୧) ଓ ୮(୧)(ଏଫ୍)ରେ ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆର୍ଟିଆଇ ନିୟମର ଧାରା ୮(୧) ଅନୁଯାୟୀ, ଭାରତର ସଂହତି, ଏକତା, ସୁରକ୍ଷା, ରଣନୀତି, ବୈଜ୍ଞାନିକ ଓ ଆର୍ଥିକ ହିତ କିମ୍ବା ଅନ୍ୟ ଦେଶ ସହ ସମ୍ପର୍କିତ ଥିବା ତଥ୍ୟ ଆଦିକୁ ସାର୍ବଜନୀନ କରିବା ଉପରେ ଅଙ୍କୁଶ ଲଗାଯାଇଛି। ସେହିପରି ଧାରା ୮(୧)(ଏଫ୍) ଅନୁସାରେ ଅନ୍ୟ ଦେଶ ଠାରୁ ଭରସାରେ ଯେଉଁ ତଥ୍ୟ ମିଳିଥାଏ ତାହାକୁ ସାର୍ବଜନୀନ ନକରିବା ଲାଗି ସରକାରଙ୍କୁ ରିହାତି ପ୍ରଦାନ କରାଯାଇଛି।
ବ୍ୟାଙ୍କ ତଥ୍ୟର ଆଦାନପ୍ରଦାନ ଲାଗି ଭାରତ ଓ ସ୍ବିଜରଲ୍ୟାଣ୍ଡ୍ ମଧ୍ୟରେ ସ୍ବତନ୍ତ୍ର ଚୁକ୍ତି ସ୍ବାକ୍ଷରିତ ହୋଇଛି। ସେହି ଅନୁସାରେ ଗତ ସେପ୍ଟେମ୍ବରରେ ଭାରତକୁ ପ୍ରଥମ ପର୍ଯ୍ୟାୟ ତଥ୍ୟ ମିଳିଥିଲା। ଏହା ପରଠାରୁ ସ୍ବୟଂଚାଳିତ ଭାବେ ପ୍ରତିବର୍ଷ ସ୍ବିସ୍ ବ୍ୟାଙ୍କ ତଥ୍ୟ ସରକାରଙ୍କ ପାଖରେ ପହଞ୍ଚିବ। ଭାରତ ସମେତ ୭୫ଟି ଦେଶ ସ୍ବିଜରଲ୍ୟାଣ୍ଡ୍ର ଫେଡେରାଲ୍ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ (ଏଫଟିଏ) ସହିତ ଏହି ବୁଝାମଣା କରିଛନ୍ତି।
/sambad/media/post_attachments/wp-content/uploads/2019/12/swiss-bank.jpg)
ଉଲ୍ଲେଖଯୋଗ୍ୟ, ବିଦେଶରେ କେତେ ପରିମାଣର କଳାଧନ ରହିଛି ତାହାର ଆକଳନ କରିବା ଲାଗି ତିନିଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା। ‘ଏନ୍ସିଏଇଆର୍’ ଏହାର ରିପୋର୍ଟରେ ଜଣାଇଥିଲା ଯେ ୧୯୮୦ରୁ ୨୦୧୦ ଭିତରେ ୩୪,୪୦୦ କୋଟି ଡଲାର କଳାଧନ ବିଦେଶକୁ ପଠାଯାଇଛି। ସେହିପରି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ୍ ଜଣାଇଥିଲା ଯେ ୧୯୯୦ରୁ ୨୦୮ ଭିତରେ ୯ ଲକ୍ଷ ୪୧ ହଜାର ୮୩୭ କୋଟି ଟଙ୍କାର କଳାଧନ ବିଦେଶକୁ ପଠାଯାଇଛି। ସେହିପରି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ପଲିସି ଆଣ୍ଡ୍ ରିସର୍ଚ ଏହାର ରିପୋର୍ଟରେ ଜଣାଇଥିଲା ଯେ ୧୯୯୭-୨୦୦୯ ଭିତରେ ବିଦେଶକୁ ପଠାଯାଇଥିବା କଳାଧନର ପରିମାଣ ଜିଡିପିର ୦.୨%ରୁ ୭.୫% ଭିତରେ ରହିବ।