ପିଆଜ ରପ୍ତାନି କଟକଣାକୁ ଆଂଶିକ କୋହଳ କଲେ ଭାରତ ସରକାର

ନୂଆଦିଲ୍ଲୀ : ଭାରତ ସରକାର ପିଆଜ ଉପରେ ଲାଗୁ ରପ୍ତାନି କଟକଣାକୁ ଉଠାଇ ନେଇଛନ୍ତି । ଆସନ୍ତା ମାର୍ଚ୍ଚ ୨୦୨୧ ସୁଦ୍ଧା ୧୦ ହଜାର ଟନ ପିଆଜ ରପ୍ତାନି ଲାଗି କେନ୍ଦ୍ର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଅନୁମତି ଦିଆଯାଇଛି ।

ଡିଜିଏଫଟି ବିଜ୍ଞପ୍ତି ଅନୁସାରେ ଦୁଇଟି କିସମର ପିଆଜ –ବାଙ୍ଗାଲୋର ରୋଜ୍ ଅନିଅନ୍ସ ଓ କ୍ରିଷ୍ଣାପୁରମ ଅନିଅନ୍ସ ରପ୍ତାନିକୁ ଅନୁମତି ଦିଆଯାଇଛି । ଆହୁରି ମଧ୍ୟ କେବଳ ଚେନ୍ନାଇ ବନ୍ଦର ଦେଇ ଏହି ରପ୍ତାନି କରାଯାଇପାରିବ ।

ଗତ ମାସରେ ଭାରତ ସରକାର ଦେଶରୁ ପିଆଜ ରପ୍ତାନି ଉପରେ କଟକଣା ଲଗାଇଥିଲେ । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲ ପ୍ରଭାବିତ ହୋଇଥିଲା । ଏହା ଫଳରେ ଉତ୍ପାଦନ ହ୍ରାସ ପାଇ ଦେଶରେ ଦର ବୃଦ୍ଧି ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ରପ୍ତାନି କଟକଣା ଲଗାଇଥିଲେ । କିନ୍ତୁ ମହାରାଷ୍ଟ୍ରର ଚାଷୀମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ଖୁବଶୀଘ୍ର ରପ୍ତାନି କଟକଣା ହଟାଇବାକୁ ସେମାନେ ଦାବି କରିଥିଲେ ।

ଏବେ ବି ଦେଶରେ ପିଆଜର ଦର ବଢିଚାଲିଥିବା ସତ୍ତ୍ବେ ସରକାର ପିଆଜ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ପିଆଜ ଚାଷୀଙ୍କ ଦାବିକୁ ମାନି ସରକାର ଏହି ପଦକ୍ଷେପ ନେଇଥିବା ମନେକରାଯାଉଛି । କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ପରେ ଦେଶରେ ପିଆଜ ଦର କମିବାର ଆଶା ମଉଳିଯାଇଛି ।

ସମ୍ବନ୍ଧିତ ଖବର