ନୂଆଦିଲ୍ଲୀ : ଯଦି ଆପଣ ଡାକଘର ସଞ୍ଚୟ ଯୋଜନାଠାରୁ ଆରମ୍ଭ କରି ସୁକନ୍ୟା ସମୃଦ୍ଧି ଯୋଜନା ଭଳି କ୍ଷୁଦ୍ର ସଞ୍ଚୟ ଯୋଜନା (ଏସ୍ଏସ୍ଏସ୍)ରେ ନିବେଶ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଅର୍ଥ ମନ୍ତ୍ରଣାଳୟ ନୂଆ ତ୍ରୈମାସ ପାଇଁ ସୁଧ ହାର ଘୋଷଣା କରିଛି। ଏହା ଅଧୀନରେ ବିଭିନ୍ନ ସ୍କିମ୍ ଉପରେ ସୁଧ ହାର ୦.୧ ପ୍ରତିଶତରୁ ୦.୭୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ତେବେ ଏଥର ମଧ୍ୟ ସରକାର ପିପିଏଫର ସୁଧ ହାର ବୃଦ୍ଧି କରିନାହାନ୍ତି । ନୂଆ ସୁଧ ହାର ଏପ୍ରିଲ ୧, ୨୦୨୩ରୁ ଜୁନ୍ ୨୦୨୩ ତ୍ରୈମାସ ପାଇଁ ଲାଗୁ ରହିବ ।
ଘୋଷିତ ଇ-ସୁଧ ହାରରେ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍ଏସସି)ର ସୁଧ ହାର ସବୁଠାରୁ ଅଧିକ ବୃଦ୍ଧି କରାଯାଇଛି। ଏହା ଅଧୀନରେ ଏପ୍ରିଲ ପହିଲାରୁ ୭.୦ ପ୍ରତିଶତ ପରିବର୍ତ୍ତେ ୭.୭ ପ୍ରତିଶତ ସୁଧ ମିଳିବ। ଏହାବ୍ୟତୀତ ଗୋଟିଏ ବର୍ଷ, ୨ ବର୍ଷ, ୩ ବର୍ଷ ଓ ୫ ବର୍ଷିଆ ଜମା ଉପରେ ସୁଧ ହାର ୦.୧ ପ୍ରତିଶତରୁ ୦.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସେହିପରି କିଷାନ ବିକାଶ ପତ୍ର ଏବେ ୧୨୦ ମାସ ପରିବର୍ତ୍ତେ ୧୧୫ ମାସରେ ପରିପକ୍ୱ ହେବ। ନୂଆ ସୁଧ ହାର ୭.୨ ପ୍ରତିଶତରୁ ୭.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେହିପରି ସୁକନ୍ୟା ସମୃଦ୍ଧି ସ୍କିମରେ ସୁଧହାର ୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ୫ ବର୍ଷୀୟ ଡାକଘର ଜମା ପାଇଁ ସୁଧହାର ୭.୫ ପ୍ରତିଶତକୁ ବୃଦ୍ଧି ପାଇଛି ।
ଅର୍ଥ ମନ୍ତ୍ରଣାଳୟ ଏଥର ମଧ୍ୟ ସଞ୍ଚୟ ଆକାଉଣ୍ଟ ଏବଂ ପିପିଏଫ ଉପରେ ସୁଧ ହାର ବୃଦ୍ଧି କରିନାହିଁ। ଇପିଏଫ ଉପରେ ସୁଧ ହାର୦.୦୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥର ପିପିଏଫର ସୁଧ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହାକୁ ୭.୧ ପ୍ରତିଶତରେ ବଜାୟ ରଖାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/rupees.jpg)