ଜେଟ୍‌ ଉଡ଼ିପାରିବ ନା ନାହିଁ? ଯାଞ୍ଚ କରିବେ ସରକାର

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍‌ର ଆର୍ଥିକ ସ୍ଥିତି ବିଷୟରେ ବିଚାରବିମର୍ଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଆଜି ଜରୁରୀ ବୈଠକ ଡକାଯାଇଥିଲା। ସେଠାରେ କଂପାନିକୁ ନେଇ ଅନେକ ପ୍ରକାର ଆଲୋଚନା ହୋଇଥିଲା। ଆକାଶରେ ଉଡ଼ିବାକୁ ଜେଟ୍‌ କେତେ ସକ୍ଷମ ତାହା ଜାଣିବା ପାଇଁ ତଦନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ସୋମବାର ପର୍ଯ୍ୟନ୍ତ ଜେଟ୍ ଏହାର ସମସ୍ତ ଆନ୍ତର୍ଜାତିକ ଉଡ଼ାଣ ବନ୍ଦ କରିବା ବିଷୟରେ ଘୋଷଣା କରିବା ପରେ ସରକାର ଏହି ମାମଲାରେ ହସ୍ତକ୍ଷେପ କରିଥି‌ଲେ ଏବଂ ଜରୁରୀ ବୈଠକ ଡକାଇଥିଲେ। କୁହାଯାଉଛି ଜେଟ୍ ପାଖରେ ଆଉ ମାତ୍ର ୯ଟି ବିମାନ ରହିଛି। ବିଗତ କିଛି ଦିନ ଭିତରେ କଂପାନି ୧୦ରୁ ଅଧିକ ବିମାନକୁ ଠିଆ କରାଇସାରିଲାଣି। ଏହା କର୍ମଚାରୀଙ୍କୁ ଦରମା ଦେଇପାରୁନାହିଁ। ‌ତେଲ କିଣିବାକୁ ଜେଟ୍‌ ପାଖରେ ଟଙ୍କା ନାହିଁ। ଲିଜ୍‌ରେ କଂପାନିକୁ ବିମାନ ଦେଇଥିବା ସଂସ୍ଥାଗୁଡ଼ିକ ନିଜ ବିମାନ ଫେରାଇ ନେଉଛନ୍ତି। ଜେଟ୍‌ର ଭବିଷ୍ୟତ କ’ଣ ତାହା ଆକଳନ କରାଯାଇପାରୁନାହିଁ।

ଏକ ସମୟରେ ଜେଟ୍‌ ପାଖରେ ୧୧୯ଟି ବିମାନ ଥିଲା। ଏବେ ସେହି ସଂଖ୍ୟା ୯କୁ ଖସି ଆସିଛି। ନିୟମ ଅନୁସାରେ ୨୦ରୁ ଅଧିକ ବିମାନ ଏବଂ ୫ ବର୍ଷରୁ ଅଧିକ ଉଡ଼ାଣ ଅଭିଜ୍ଞତା ଥିବା କଂପାନିକୁ ଆନ୍ତର୍ଜାତିକ ଉଡ଼ାଣ ଅନୁମତି ପ୍ରଦାନ କରାଯାଇଥାଏ। ଜେଟ୍‌ ପାଖରେ ୨୦ରୁ ବହୁତ କମ୍ ବିମାନ ରହିଛି। ତେଣୁ ଏହା ଠାରୁ ଆନ୍ତର୍ଜାତିକ ଉଡ଼ାଣ ଅନୁମତି ପ୍ରତ୍ୟାହାର କରିବା ଉପରେ ସରକାର ବିଚାର କରୁଛନ୍ତି। ଜେଟ୍‌ର ସ୍ଥିତି ଅତ୍ୟନ୍ତ ଗମ୍ଭୀର ବୋଲି ଗତବର୍ଷ ଅକ୍ଟୋବରରେ ଜଣାପଡ଼ିଥିଲା। କଂପାନି ଏହାର ଆର୍ଥିକ ଫଳାଫଳ ରିପୋର୍ଟ ପ୍ରକାଶ କରିବାରେ ବିଳମ୍ବ କରିବାରୁ ଏହାର ସ୍ଥିତି ଉପରେ ନିବେଶକମାନଙ୍କ ସନ୍ଦେହ ହୋଇଥିଲା। ବିପୁଳ କ୍ଷତିରେ ଚାଲିଥିବା ଏହି କଂପାନି ଅନେକ ପ୍ରୟାସ କରିବା ପରେ ଚଳିତ ବର୍ଷ ଫେବ୍ରୁଆରିରେ ଋଣ ହାତେଇବାରେ ସଫଳ ହୋଇଥିଲା। ମାତ୍ର ଏହାର ସ୍ଥିତି ସୁଧୁରିବା ପରିବର୍ତେ ଆହୁରି ବିଗିଡ଼ିଯାଇଥିଲା। କଂପାନି ଉପରେ ୮୦୦୦ କୋଟି ଟଙ୍କାର ଋଣ ବୋଝ ରହିଛି। ବିଶେଷଜ୍ଞମାନେ କହୁଛନ୍ତି ଯେ, ୨୦୦୬ରେ ଏୟାର ସାହାରାକୁ ବିପୁଳ ଟଙ୍କା ଦେଇ କିଣିବା ପରେ ଜେଟ୍‌ର ସଙ୍କଟ ଆରମ୍ଭ ହୋଇଥିଲା। ସେହି ସଙ୍କଟକୁ ଦୂର କରିବାରେ କଂପାନି ସଫଳ ହୋଇନଥିଲା। ଜେଟ୍‌କୁ ବଞ୍ଚାଇବା ପାଇଁ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ଇସ୍ତଫା ଦେଇସାରିଛନ୍ତି। ‌ଏବେ କଂପାନିର ମାଲିକାନା ଏହାକୁ ଋଣ ଦେଇଥିବା ୨୬ଟି ବ୍ୟାଙ୍କ ହାତରେ ରହିଛି ଏବଂ ବ୍ୟାଙ୍କଗୁଡ଼ିକର ନେତୃତ୍ବ ନେଉଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ। ଜେଟ୍‌ରେ ଥିବା ୭୫% ଅଂଶଧନ ବିକ୍ରି କରିବାକୁ ବିଡ୍‌ ଆହ୍ବାନ କରାଯାଇଛି। ଖୋଦ୍‌ ନରେଶଙ୍କ ବ୍ୟତୀତ ଏୟାର କାନାଡା ଓ ଏତିହାଦ୍‌ ପକ୍ଷରୁ ଜେଟ୍‌କୁ କିଣିବା ପାଇଁ ବିଡ୍‌ ଦାଖଲ କରାଯାଇଛି।

ଜରୁରୀ ବୈଠକରେ ଆଲୋଚନା
ସୋମବାର ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡ଼ାଣ ବନ୍ଦ
ପାଖରେ ୯ଟି ବିମାନ

କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଜେଟ୍‌କୁ ବଞ୍ଚାଇବା ପାଇଁ ଏହାର କର୍ମଚାରୀମାନେ ଆଜି ମୁମ୍ବାଇ ବିମାନବନ୍ଦର ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ଦିଲ୍ଲୀ ବିମାନବନ୍ଦରରେ ଏବଂ ଜନ୍ତରମନ୍ତର ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ କର୍ମଚାରୀମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। କଂପାନିର ‌ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଏଭଳି ପରିସ୍ଥିତିରେ ପଡ଼ିଛୁ ଯେ ନା ବଞ୍ଚିପାରୁଛୁ ନା ମରିପାରୁଛୁ। ବ୍ୟାଙ୍କଗୁଡ଼ିକ କଂପାନିକୁ ତୁରନ୍ତ ୧୫୦୦ କୋଟି ଟଙ୍କା ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଯେ, ବ୍ୟାଙ୍କଗୁଡ଼ିକ କାହିଁକି ଆମକୁ ମିଥ୍ୟା ପ୍ରତିଶ୍ରୁତି ଦେଲେ? ଏବେ ସେମାନେ ପାଣ୍ଠିର ନାଁ ଧରୁନାହାନ୍ତି। ଆମେ ସବୁ ଦିନ ମରି ମରି ବଞ୍ଚୁଛୁ ବୋଲି ସେ କହିଛନ୍ତି। କଂପାନିରେ ୧୭ ହଜାର ଲୋକ କାମ କରୁଛନ୍ତି। ଯଦି ଏହା ବନ୍ଦ ହୋଇଯିବ ତେବେ ଅନେକ ଲୋକ ଜୀବିକା ହରାଇବେ।

ସମ୍ବନ୍ଧିତ ଖବର