ସ୍ୱଳ୍ପ ସଂଚୟ ସ୍କିମ ଉପରେ ସୁଧହାର ଅପରିବର୍ତ୍ତିତ ରହିଲା

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର-ଡିସେମ୍ବର ତିନିମାସ ପାଇଁ ଭାରତ ସରକାର ସବୁପ୍ରକାରର ସ୍ୱଳ୍ପ ସଂଚୟ ଯୋଜନା ଯଥା ପବ୍ଲିକ ପ୍ରୋଭିଡେଣ୍ଡ ଫଣ୍ଡ (ପିପିଏଫ), ନ୍ୟାସନାଲ ସେଭିଙ୍ଗସ ସାର୍ଟିଫିକେଟ (ଏନସିଏଫ) ଆଦି ଉପରେ ମିଳୁଥିବା ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି ।
ଆଜି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଚଳିତ ତିନିମାସ ଭଳି ଅକ୍ଟୋବର-ଡିସେମ୍ବର ତିନିମାସରେ ମଧ୍ୟ ପିପିଏଫ ଉପରେ ୭.୧୦ ପ୍ରତିଶତ ସୁଧ ମିଳିବ । ସେହିପରି ଏନସିଏଫ ଉପରେ ୭.୪୦ ପ୍ରତିଶତ ସୁଧ ମିଳିବ । ଅନ୍ୟପକ୍ଷରେ ପୋଷ୍ଟ ଅଫିସ ଟାଇମ ଡିପୋଜିଟ ସ୍କିମରେ ୫.୫ ପ୍ରତିଶତରୁ ୬.୭ ପ୍ରତିଶତ ମଧ୍ୟରେ ସୁଧ ମିଳିବ ।

ଅନ୍ୟପକ୍ଷରେ ଜିଏସଟି ଦାତାଙ୍କ ଦାବିକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ବର୍ଷ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଜିଏସଟି (ଜିଏସଟିଆର-୯ ଓ ଜିଏସଟିଆର ୯ସି) ରିଟର୍ଣ୍ଣ ଫାଇଲିଂ ତାରିଖକୁ ଆଉ ଏକ ମାସ ପାଇଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଶେଷ ତାରିଖ ୩୦ ସେପ୍ଟେମ୍ବର ଥିବାବେଳେ ଏବେ ତାହାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆଜି ମଧ୍ୟ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ପାଇଁ ଶେଷ ତାରିଖକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଥିଲେ । ପୂର୍ବରୁ ଏଥିଲାଗି ଶେଷ ତାରିଖ ୩୦ ସେପ୍ଟେମ୍ବର ଥିଲା ।

ସମ୍ବନ୍ଧିତ ଖବର