ଏୟାରଇଣ୍ଡିଆକୁ ସଂପୂର୍ଣ୍ଣ ବିକି ଦେବାକୁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ ବିମାନ ସେବା କମ୍ପାନି ଏୟାରଇଣ୍ଡିଆର ଅଂଶଧନ ବିକ୍ରି ଉଦ୍ୟମ ବିଫଳ ହେବା ପରେ ସରକାର କେତେକ କୋହଳ ସର୍ତ୍ତ ସହ ପୁଣି ଥରେ ଏହାକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଏପରିକି ସରକାର ଏୟାର ଇଣ୍ଡିଆ ବିକ୍ରିକୁ ସଫଳ କରିବାକୁ ଏହାର ୧୦୦ ପ୍ରତିଶତ ଅଂଶଧନ ଅର୍ଥାତ ଏହାକୁ ସଂପୂର୍ଣ୍ଣ ବିକ୍ରି କରିବାକୁ ବିଚାର କରୁଛନ୍ତି । ପୂର୍ବଥର ସରକାର ଏୟାର ଇଣ୍ଡିଆର ୭୬ ପ୍ରତିଶତ ବିକ୍ରି କରି ଅବଶିଷ୍ଠ ୨୪ ପ୍ରତିଶତ ନିଜ ପାଖରେ ରଖିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଏହାକୁ ନେଇ କେହି ଆଗ୍ରହ ପ୍ରକାଶ କରି ନଥିଲେ । କେନ୍ଦ୍ର ଆର୍ଥିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଛନ୍ତି ଯେ ଗତ ଥର ଆମର ଯୋଜନା କାମ ଦେଇନଥିଲା । ଏଣୁ ଏଥର ଆମକୁ କିଛି ଅଲଗା କରିବାକୁ ହେବ । ଗତ ମାର୍ଚ୍ଚ ମାସରେ ସରକାର ଏୟାରଇଣ୍ଡିଆରୁ ୭୬ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ନିଲାମ ଡାକିଥିଲେ । କିନ୍ତୁ ଏହାକୁ ନେଇ କେହି ଆଗ୍ରହ ଦେଖାଇ ନଥିଲେ । ୨୦୧୭ ଜୁନ୍ ମାସରେ କେନ୍ଦ୍ର କ୍ୟାବିନେଟ୍ ଏୟାର ଇଣ୍ଡିଆର ଘରୋଇକରଣ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ଦେଇଥିଲା । ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଏୟାର ଇଣ୍ଡିଆର ଘରୋଇକରଣ କାର୍ଯ୍ୟକୁ କିଭଳି ସମ୍ପାଦନ କରାଯିବ ତାହାର ରଣନୀତି ଏହି କମିଟି ପ୍ରସ୍ତୁତ କରିଥିଲା । କିନ୍ତୁ ଏହି ଯୋଜନା ବିଫଳ ହେବା ପରେ ଏବେ ନୂଆ କରି ଯୋଜନା କରାଯାଉଛି ।

ସମ୍ବନ୍ଧିତ ଖବର