ଏଲ୍‌ଆଇସିକୁ ସରକାରୀ ଚାପ

ନୂଆଦିଲ୍ଲୀ,: ବିପୁଳ କ୍ଷତିରେ ଚାଲୁଥିବା ଆଇଡିବିଆଇ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରି ବିଫଳ ହୋଇଥିବା କେନ୍ଦ୍ର ସରକାର ଏବେ ଏଲ୍‌ଆଇସି ଉପରେ ନଜର ପକାଇଛନ୍ତି। ଆଇଡିବିଆଇ ବ୍ୟାଙ୍କର ୪୦% ଅଂଶଧନ କିଣିବାକୁ ଏଲ୍‌ଆଇସି ଉପରେ ସରକାର ଚାପ ପ୍ରୟୋଗ କରୁଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ଏହି ବ୍ୟାଙ୍କରେ ଏଲ୍‌ଆଇସିର ୧୦%ରୁ ଅଧିକ ଅଂଶଧନ ରହିଛି।
ଆଇଡିବିଆଇ ବ୍ୟାଙ୍କ ଅଂଶଧନ କିଣିବା ପାଇଁ ଏଲ୍‌ଆଇସି ଉପରେ ସରକାର ପକାଉଥିବା ଚାପକୁ ଷ୍ଟକ ବଜାର ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରିନାହାନ୍ତି। ସରକାର ଏଲ୍‌ଆଇସିକୁ ନିଜ ଏଟିଏମ୍‌ ଭଳି ବ୍ୟବହାର କରୁଥିବା ସେମାନେ ଅଭିଯୋଗ କରୁଛନ୍ତି। ଯେଉଁଠାରେ କିଛି ଅସୁବିଧା ହେଉଛି ସେଠାରେ ଏଲ୍‌ଆଇସି ଉପରେ ସବୁ ଚାପ ଲଦି ଦିଆଯାଉଛି ବୋଲି ସେମାନେ କହିଛନ୍ତି।
ଗୁରୁଗାଓଁର ମ୍ୟାନେଜମେଣ୍ଟ୍‌ ଡେଭେଲପ୍‌ମେଣ୍ଟ୍‌ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ସଞ୍ଜୟ ବକ୍ସି ଟୁଇଟ୍‌ କରିଛନ୍ତି ଯେ ସରକାରଙ୍କ ପାଇଁ ଏଲ୍‌ଆଇସି ହେଉଛି ଏଟିଏମ୍‌। ସେହିପରି ଆଇଆଇଏଏସ୍‌ ନାମକ ଆର୍ଥିକ ସଂସ୍ଥାର ପ୍ରତିଷ୍ଠାତା ଅମିତ ଟଣ୍ଡନ୍‌ କହିଛନ୍ତି ଯେ, ବ୍ୟାଙ୍କ ଚଳାଇବାର କୌଣସି ଅଭିଜ୍ଞତା ଏଲ୍‌ଆଇସି ପାଖରେ ନାହିଁ। ଏହା ଏକ ବ୍ୟାଙ୍କକୁ ଠିକ୍‌ ଭାବେ ମାର୍ଗଦର୍ଶନ ମଧ୍ୟ କରିପାରିବ ନାହିଁ।
ଆଇଡିବିଆଇ ବ୍ୟାଙ୍କ ଅଂଶଧନ କିଣିବା ପାଇଁ ଏଲ୍‌ଆଇସି ଉପରେ ଚାପ ପ୍ରୟୋଗ କରାଯାଉଥିବା ଅଭିଯୋଗକୁ କିନ୍ତୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ଏଲ୍‌ଆଇସି ଓ ଆଇଡିବିଆଇ ବ୍ୟାଙ୍କର ବୋର୍ଡ ଯାହା କିଛି ନିଷ୍ପତ୍ତି ଗ୍ରହଣ କରିବେ। ଆମେ ସବୁ କିଛି ସେମାନଙ୍କ ଉପରେ ଛାଡ଼ି ଦେଇଛୁ।
ତେବେ, ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରେ ଆକଳନ କରାଯାଇଛି ଯେ ଆଇଡିବିଆଇ ବ୍ୟାଙ୍କ ଅଂଶଧନ ବିକ୍ରି ଉପରେ ସରକାର ଉଭୟ ବୀମା ନିୟାମକ ଆଇଆର୍‌ଡିଏଆଇ ଓ ଷ୍ଟକ ବଜାର ନିୟାମକ ସଂସ୍ଥା ସେବିର ମତାମତ ଲୋଡ଼ିଛନ୍ତି। ଆଇଆର୍‌ଡିଏଆଇ ପକ୍ଷରୁ ଏହି ପ୍ରସ୍ତାବକୁ ବିରୋଧ କରାଯାଉଛି। କାରଣ ଆଇଆର୍‌ଡିଏଆଇର ନିୟମ ରହିଛି ଯେ ଏଲ୍‌ଆଇସି କିମ୍ବା କୌଣସି ବୀମା କଂପାନି ଅନ୍ୟ ସଂସ୍ଥାର ୧୦%ରୁ ଅଧିକ ଅଂଶଧନ କିଣିପାରିବେ ନାହିଁ। ସେବି ଏହା ଉପରେ କୌଣସି ମତାମତ ପ୍ରଦାନ କରିନାହିଁ।

ସମ୍ବନ୍ଧିତ ଖବର