ଚୀନ ମୋବାଇଲ କମ୍ପାନିଙ୍କ ଉପରେ ସରକାରଙ୍କ ସତର୍କ ଦୃଷ୍ଟି ; ସାଓମି ପରେ ଏବେ ଭିଭୋର ପାଳି

ନୂଆଦିଲ୍ଲୀ : ଚୀନ ମୋବାଇଲ କମ୍ପାନି ସାଓମିର ବେଆଇନ ଆର୍ଥିକ କାରବାର ଧରା ପଡ଼ିବା ପରେ ଏବେ ଅନ୍ୟ ଚୀନ ମୋବାଇଲ ଓ ଟେଲିକମ କମ୍ପାନିଙ୍କ କାରବାର ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଭାରତ ସରକାର । ଭିଭୋ ଓ ଜେଡଟିଇର ଭାରତୀୟ ୟୁନିଟ ଗୁଡ଼ିକ ମଧ୍ୟ ଆର୍ଥିକ ଅନିୟମିତତା ଓ ବିଦେଶୀ ମୁଦ୍ରା ଆଇନର ଉଲ୍ଲଙ୍ଘନ କରୁଥିବା ନେଇ ସରକାର ତଦନ୍ତ ଆରମ୍ଭ କରିଛନ୍ତି ।

ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭିଭୋ ଓ ଜେଡଟିଇ ଆର୍ଥିକ ଅନିୟମିତତାରେ ଲିପ୍ତ ଥିବା କେତେକ ଗୋପନ ସୁତ୍ରରୁ ସରକାରଙ୍କୁ ସୂଚନା ମିଳିବା ପରେ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ସତର୍କ ହୋଇଉଠିଛି । ମନ୍ତ୍ରାଳୟ ପକ୍ଷରୁ ଏହି ଦୁଇ କମ୍ପାନିର ଅଡିଟ ରିପୋର୍ଟ ଯାଞ୍ଚ କରାଯାଉଛି ।

ଭିଭୋର ମାଲିକାନା ସତ୍ତ୍ବ ଓ ଆର୍ଥିକ ଅନିୟମିତତା ସମ୍ପର୍କରେ ସରକାର ସୂଚନା ମିଳିବା ପରେ ଗତ ଏପ୍ରିଲ ମାସରେ ହିଁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଫାଇନାନ୍ସିଆଲ ରିପୋର୍ଟିଂ ସମୟରେ ଏହି କମ୍ପାନି ତଥ୍ୟ ଲୁଚାଇଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଜେଡଟିଇର ଆକାଉଣ୍ଟ ଯାଞ୍ଚ କରି ଜରୁରୀକାଳୀନ ଭିତ୍ତିରେ ରିପୋର୍ଟ ପ୍ରଦାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୨୦୨୦ ଜୁନରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଭାରତ ଚୀନ କମ୍ପାନିଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିଛି । ଚଳିତ ମାସରେ ସରକାର ଚୀନ ମୋବାଇଲ କମ୍ପାନି ସାଓମିର ବ୍ୟାଙ୍କ ଖାତାକୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ । ବିଦେଶୀ ମୁଦ୍ରା ଆଇନର ଉଲ୍ଲଙ୍ଘନ ଅଭିଯୋଗରେ ସରକାର ଏହି ପଦକ୍ଷେପ ନେଇଥିଲେ ।

 

 

ସମ୍ବନ୍ଧିତ ଖବର