ସରକାର-ରିଜର୍ଭ ବ୍ୟାଙ୍କ ବିବାଦ, ସମାଧାନ କରିଥି‌ଲେ ସ୍ବାଧୀନ ନିର୍ଦେଶକ

ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିଲା

ମୁମ୍ବାଇ: ଗତ ସୋମବାର ଯେତେବେଳେ ରିଜର୍ଭ ବ୍ୟାଙ୍କର ବୋର୍ଡ ‌ବୈଠକ ମୁମ୍ବାଇରେ ଆରମ୍ଭ ହେଲା ଦେଶବାସୀ ଭାବିଥିଲେ ଆଜି ନିଶ୍ଚିତ କିଛି ବଡ଼ ଧରଣର ଖବର ଆସିବ। କିନ୍ତୁ ସେଭଳି କିଛି ହେଲାନାହିଁ। ବୈଠକ ପରେ ଯେଉଁ ଖବର ସବୁ ଆସିଲା ଲାଗିଲା‌ ଯେଭଳି ଦୁଇ ପକ୍ଷ ମଧ୍ୟରେ କିଛି ବିବାଦ ହିଁ ନଥିଲା। ଏଭଳି ଚମତ୍କାର ଆପେ ଆପେ ହୋଇନଥିଲା। ଏହା ପଛରେ ଥିଲା ଏକ ସୁଚିନ୍ତିତ ରଣନୀତିର ସଫଳ ରୂପାୟନ। ସରକାରଙ୍କ ସହିତ ଥିବା ଫାଟକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ସାର୍ବଜନୀନ କରିବା ପରେ ପ୍ରସ୍ତୁତ ହୋଇଥିଲା ରଣନୀତି। ଏହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାର ଦାୟିତ୍ବ ନେଇଥିଲେ ସ୍ବାଧୀନ ନିର୍ଦେଶକମାନେ। ଜଣେ ସ୍ବାଧୀନ ନିର୍ଦେଶକ ଏବିଷୟରେ ସୂଚନା ଦେଇ କହିଛନ୍ତି ଯେ, ବିରଳଙ୍କ ବିବାଦୀୟ ଭାଷଣର କିଛି ଦିନ ପୂର୍ବରୁ ବୋର୍ଡର ଏକ ବୈଠକ ବସିଥିଲା। କେତେକ କାରଣ ଯୋଗୁ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା। ଏହାର କିଛି ଦିନ ପରେ ବିରଳ ଏକ ସଭାରେ ଭାଷଣ ଦେବା ବେଳେ ସରକାରଙ୍କ ସହିତ ଥିବା ଫାଟକୁ ସାର୍ବଜନୀନ କରିଦେଇଥିଲେ। ସେହି ଭାଷଣ ନିଆଁରେ ପେଟ୍ରୋଲ୍ ଢାଳିବା‌ ଭଳି କାମ କରିଥିଲା। ଏହା ପରେ ଉଭୟ ପକ୍ଷ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ସ୍ଥିତି ଅଣାୟତ୍ତ ହୋଇପଡ଼ିଲା। ଏଭଳି ଏକ ସମୟରେ ବିବାଦ ସମାଧାନ କରିବା ପାଇଁ ସ୍ବାଧୀନ ନିର୍ଦେଶକମାନେ ଅଣ୍ଟା ଭିଡ଼ିଥିଲେ। ସ୍ବାଧୀନ ନିର୍ଦେଶକମାନେ ପ୍ରଥମେ ନିଜ ନିଜ ଭିତରେ ଆଲୋଚନା କରିଥିଲେ। ଏହା ପରେ ଫୋନ୍‌ରେ କଥାବାର୍ତା ଜାରି ରଖିଥିଲେ। ବିରଳଙ୍କ ଭାଷଣର ତିନି ଦିନ ପରେ ସେମାନେ ମୁମ୍ବାଇରେ ଏକତ୍ରୀତ ହୋଇଥିଲେ। ସେଠାରେ ପ୍ରସ୍ତୁତ ହୋଇଥିଲା ରଣନୀତି।

ରଣନୀତିର ମୁଖ୍ୟ ଲକ୍ଷ୍ୟ ଥିଲା ଉଭୟ ପକ୍ଷକୁ ବୁଝାଇବା। କ’ଣ କହିଲେ ଉଭୟ ପକ୍ଷ ନିଜର ଭୁଲ ବୁଝିପାରିବେ ଓ ନିଜ ଦାୟିତ୍ବ ବିଷୟରେ ଅବଗତ ହୋଇପାରବେ, ତାହା ମଧ୍ୟ ସ୍ଥିର କରାଯାଇଥିଲା। ପୂର୍ବ ପ୍ରସ୍ତୁତ ରଣନୀତି ଅନୁଯାୟୀ ସ୍ବାଧୀନ ନିର୍ଦେଶକମାନେ କାମ ଆରମ୍ଭ କରିଥିଲେ। ସେମାନେ ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କର ସଦସ୍ୟଙ୍କ ସମ୍ପର୍କରେ ଥିଲେ। କେଉଁ ସଦସ୍ୟ କ’ଣ ଚାହୁଁଛନ୍ତି ତାହା ଜାଣିବା ପରେ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରାଯାଇଥିଲା। ରିଜର୍ଭ ବ୍ୟାଙ୍କର ସଦସ୍ୟମାନଙ୍କୁ କୁହାଗଲା ଯେ, ପୂର୍ଣ୍ଣ ସ୍ବାଧୀନତା ଗ୍ରହଣୀୟ ନୁହେଁ। ମୁଦ୍ରାନୀତି ପର୍ଯ୍ୟନ୍ତ ସ୍ବାଧୀନତା ଠିକ୍ ଅଛି। ସେଥିରେ ହସ୍ତକ୍ଷେପ କରାଯିବା ଅନୁଚିତ। କିନ୍ତୁ ସରକାର ଦେଇଥିବା ଅନ୍ୟ କେତେକ ପ୍ରସ୍ତାବ ଉପରେ ବିଚାର କରିବା ଓ ତାହାର ସମାଧାନ ବାଟ ବାହାର କରିବା ଦାୟିତ୍ବ ତୁମମାନଙ୍କର। ରିଜର୍ଭ ବ୍ୟାଙ୍କର ବୋର୍ଡ ସଦସ୍ୟଙ୍କୁ ଏକଥା ବୁଝାଇବାରେ ସେମାନେ ସଫଳ ହୋଇଥିଲେ। ଅନ୍ୟ ପଟେ, ଆଉ କିଛି ସ୍ବାଧୀନ ନିର୍ଦେଶକ ସରକାରଙ୍କ ଦ୍ବାରା ମନୋନୀତ ସଦସ୍ୟମାନଙ୍କୁ ବୁଝାଇବା କାମରେ ଲାଗିଥିଲେ। କେବେ ଲାଗୁ କରାଯାଇନଥିବା ଧାରା ୭କୁ ବ୍ୟବହାର କରିବାର ଆବଶ୍ୟକତା ନଥିଲା ବୋଲି ସେମାନଙ୍କୁ ବୁଝାଇଥିଲେ।

୧୮ ଜଣିଆ ବୋର୍ଡ ରିଜର୍ଭ ବ୍ୟାଙ୍କର ୫
ଉର୍ଜିତ ପଟେଲ୍, ଏନ. ଏସ. ବିଶ୍ବନାଥନ, ବିରଳ ଆଚାର୍ଯ୍ୟ, ବି. ପି. କାନୁନଗୋ, ମହେଶ କୁମାର ଜୈନ
ସରକାର ମନୋନୀତ ୧୩
ସୁଭାଷ ଗର୍ଗ, ରାଜୀବ କୁମାର, ସ୍ବାମୀନାଥନ ଗୁରୁମୂର୍ତ୍ତି, ସତୀଶ ମରାଠେ, ଏନ. ଚନ୍ଦ୍ରଶେଖରନ୍, ଭାରତ ନରୋତ୍ତମ ଦୋସୀ, ମନିଷ ସଭରୱାଲ, ଦିଲ୍ଲୀପ ସାଂଘଭି, ସୁଧୀର ମଙ୍କଡ, ଅଶୋକ ଗୁଲାଟି, ପ୍ରସନ୍ନ ମହାନ୍ତି, ସତୀଶ ଚତୁର୍ବେଦୀ, ରେବତୀ ଆୟାର

ସମ୍ବନ୍ଧିତ ଖବର