ଚୀନରୁ ଆସିଥିବା ୫୦ଟି ନିବେଶ ପ୍ରସ୍ତାବର ସମୀକ୍ଷା କରୁଛନ୍ତି ଭାରତ ସରକାର

ନୂଆଦିଲ୍ଲୀ : ଚୀନରୁ ଆସିଥିବା ପ୍ରାୟ ୫୦ଟି ନିବେଶ ପ୍ରସ୍ତାବକୁ ଭାରତ ସରକାର ତର୍ଜମା କରୁଛନ୍ତି । ଗତ ଏପ୍ରିଲ ମାସରେ ଆସିଥିବା ସଂଶୋଧିତ ଏଫଡିଆଇ ନୀତି ଅନୁସାରେ ଏହି ତର୍ଜମା କରାଯାଉଛି । ଚୀନ କମ୍ପାନିମାନଙ୍କ ଦ୍ୱାରା ଭାରତୀୟ କମ୍ପାନିଙ୍କ ଅଧିଗ୍ରହଣକୁ ରୋକିବାକୁ ସରକାର ଏହି ସଂଶୋଧନ କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ ସରକାର ଚୀନ କମ୍ପାନିଙ୍କ ନିବେଶ ପ୍ରସ୍ତାବଗୁଡ଼ିକୁ ସତର୍କତାର ସହିତ ଯାଞ୍ଚ କରୁଛନ୍ତି । ତେବେ କେଉଁ କେଉଁ କମ୍ପାନିଙ୍କ ପ୍ରସ୍ତାବଗୁଡ଼ିକ ଉପରେ ନଜର ରଖାଯାଇଛି ତାହାକୁ ଗୁପ୍ତ ରଖାଯାଇଛି । ବେଜିଂରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ସଂପୃକ୍ତ ଚୀନ କମ୍ପାନିମାନଙ୍କ ସହ ଯୋଗାଯୋଗ କରାଯାଇ ବିଭିନ୍ନ ବିଷୟ ଉପରେ ସ୍ପଷ୍ଟୀକରଣ ଓ ଅଧିକ ସୂଚନା ମଗାଯାଇଛି ।
ଭାରତୀୟ କମ୍ପାନିମାନଙ୍କୁ ଚୀନ କବଳରୁ ମୁକ୍ତ ରଖିବାକୁ ଭାରତ ସରକାର ଗତ ଏପ୍ରିଲ ମାସରେ ନିଜର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନିୟମରେ ସଂଶୋଧନ ଆଣିଥିଲେ । ଏହା ଫଳରେ ଭାରତର ପଡ଼ୋଶୀ ଦେଶମାନେ ସରକାରଙ୍କ ବିନା ଅନୁମତିରେ ଭାରତରେ ନିବେଶ କରିପାରିବେ ନାହିଁ । ଚୀନକୁ ନଜରରେ ରଖି ଭାରତ ସରକାର ଏହି ନୀତି ଆଣିଥିବାରୁ ଚୀନ ତାହାର ତୀବ୍ର ବିରୋଧ କରିଥିଲା । ଚୀନ ପକ୍ଷରୁ କୁହାଯାଉଛି ଯେ ଭାରତ ସରକାରଙ୍କ ଏହି ବାଛବିଚାର ମୂଳକ ପଦକ୍ଷେପ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନିୟମର ବିରୋଧୀ । ଏହା ମଧ୍ୟ ଜଗତିକରଣ ଓ ଉଦାରିକରଣ ନୀତିର ବିରୁଦ୍ଧାଚରଣ କରୁଛି ।

ସମ୍ବନ୍ଧିତ ଖବର