ସରକାରୀ ନୀତିର ସମାଲୋଚନା କରିପାରିବେନି

ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ଆଚରଣବିଧି

ନୂଆଦିଲ୍ଲୀ: କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ନୂଆ ଆଚରଣବିଧି ଜାରି କରାଯାଇଛି। କୌଣସି କର୍ମଚାରୀ ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଇପାରିବେ ନାହିଁ। ସରକାରଙ୍କ କୌଣସି ନୀତି କିମ୍ବା ପଦକ୍ଷେପକୁ କର୍ମଚାରୀମାନେ ସମାଲୋଚନା କରିପାରିବେ ନାହିଁ। କେନ୍ଦ୍ରୀୟ ପିଏସ୍‌ୟୁର କର୍ମଚାରୀମାନଙ୍କୁ ଉପହାର ଗ୍ରହଣ କରିବା ପାଇଁ ବାରଣ କରାଯାଇଛି। ସାର୍ବଜନୀନ ସ୍ଥାନକୁ ନିଶାସେବନ କରିଯାଇପାରିବେ ନାହିଁ। କର୍ମଚାରୀମାନେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ନୀତିକୁ ସମାଲୋଚନା କରିପାରିବେ ନାହିଁ। ସେମାନେ ଏଭଳି କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ଯାହା କଂପାନି ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କକୁ ଖରାପ କରିବ। ନିଜ ନାମରେ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ ଛାପା ଗଣମାଧ୍ୟମ, ଇଲେକ୍‌ଟ୍ରୋନିକ୍ସ ଗଣମାଧ୍ୟମ କିମ୍ବା ସର୍ବସାଧାରଣରେ କୌଣସି ଆପତ୍ତିଜନକ ଦଲିଲ୍‌ ପ୍ରକାଶନ କିମ୍ବା ପ୍ରସାରଣ କରିପାରିବେ ନାହିଁ। ଆଇନ ଅନୁସାରେ ଦଣ୍ଡିତ ହେବା ଭଳି କୌଣସି ପ୍ରଦର୍ଶନ କର୍ମଚାରୀମାନେ କରିପାରିବେ ନାହିଁ। ସେମାନେ ରାଜନୈତିକ ଦଳ କିମ୍ବା ରାଜନୈତିକ ଦଳ ସହିତ କାମ କରୁଥିବା କୌଣସି ସଂସ୍ଥାର କର୍ମକର୍ତା ହୋଇପାରିବେ ନାହିଁ। ରଜନୈତିକ ଉଦ୍ଦେଶ୍ୟରେ ଆୟୋଜନ କରାଯାଉଥିବା ଧାରଣା ଓ ବିକ୍ଷୋଭରେ କର୍ମଚାରୀମାନେ ଭାଗ ନେଇପାରିବେ ନାହିଁ। କୌଣସି ପ୍ରକାର ନିର୍ବାଚନରେ ସେମାନେ ଭାଗ ନେଇପାରିବେ ନାହିଁ।

କ’ଣ କରିପାରିବେନି

• ନିଶାସେବନ କରି ସର୍ବସାଧାରଣ ସ୍ଥାନକୁ ଯାଇପାରିବେନି

• ରାଜନୈତିକ ଦଳର କର୍ମକତା ହୋଇପାରିବେନି

• ନିର୍ବାଚନରେ ଭାଗ ନେଇପାରିବେନି

• ଉପହାର ନେଇପାରିବେନି

• ଯୌତୁକ ଦାବି କରିପାରିବେନ

• ମାଗଣାରେ ଗାଡ଼ି, ହୋଟେଲ୍‌ ରହଣୀ ସୁବିଧା ନେଇପାରିବେନି

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀ କିମ୍ବା ତାଙ୍କର କୌଣସି ପରିବାର ସଦସ୍ୟ  ଅନ୍ୟ କାହାଠାରୁ ଉପହାର ଗ୍ରହଣ କରିପାରିବେ ନାହିଁ ବୋଲି ନୂଆ ଆଚରଣବିଧିରେ ଉଲ୍ଲେଖ ରହିଛି। ମାଗଣାରେ ଯାତାୟାତ ସୁବିଧା ଯୋଗାଇ ଦେବା, ମାଗଣାରେ ହୋଟେଲ୍‌ରେ ରହଣୀ ଏବଂ ଖାଇବା ପିଇବା ଆଦି କାର୍ଯ୍ୟକୁ ଉପହାର ଭାବେ ବିବେଚନା କରାଯିବ। କର୍ମଚାରୀ କିମ୍ବା ତାଙ୍କର କୌଣସି ପରିବାର ସଦସ୍ୟ ଏଭଳି ସୁବିଧା ନେଇପାରିବେ ନାହିଁ। ମାତ୍ର ବିବାହ, ବିବାହ ବାର୍ଷିକୀ, କୌଣସି ଆତ୍ମୀୟଙ୍କ ମୃତ୍ୟୁ ପରେ ଆୟୋଜନ କରାଯାଉଥିବା ଭୋଜି କିମ୍ବା ଧାର୍ମିକ କାର୍ଯ୍ୟକ୍ରମ ଯେଉଁଠାରେ ଉପହାର ପ୍ରଦାନ କରିବା ଏକ ପରମ୍ପରା ସେଭଳି ପରିସ୍ଥିତିରେ କର୍ମଚାରୀମାନେ ଉପହାର ଗ୍ରହଣ କରିପାରିବେ ବୋଲି ନୂଆ ଆଚରଣବିଧିରେ ଉଲ୍ଲେଖ ରହିଛି। ଯଦି ଏଭଳି କାର୍ଯ୍ୟକ୍ରମରେ ମିଳିଥିବା କୌଣସି ଉପହାରର ମୂଲ୍ୟ ୨୫ ହଜାର ଟଙ୍କାରୁ ଅଧିକ ହୋଇଥିବ ତେବେ ସଂପୃକ୍ତ କର୍ମଚାରୀ ଜଣକ ସେ ସମ୍ପର୍କରେ ନିଜ କର୍ତୃପକ୍ଷଙ୍କୁ ଅବଗତ କରାଇବେ। ଅଣ କାର୍ଯ୍ୟନିର୍ବାହୀ କର୍ମଚାରୀମାନେ ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉପହାର ପାଇଲେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କୁହାଯାଇଛି। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଯୌତୁକ ଦାବି କରିବାରୁ ସେମାନଙ୍କୁ ବାରଣ କରାଯାଇଛି। ନିଜ ଦ୍ୱାରା ହେଉଥିବା କାମକୁ ମନ୍ଦ ଉଦ୍ଦେଶ୍ୟ ରଖିୁ ଜାଣିଶୁଣି ତାହାକୁ ବିଳମ୍ବ କରିପାରିବେ ନାହିଁ। କର୍ମଚାରୀମାନେ ନିଜ ପଦବୀର କ୍ଷମତାକୁ ବ୍ୟବହାର କରି ନିଜର କିମ୍ବା ନିଜର କୌଣସି ସମ୍ପର୍କୀୟଙ୍କୁ ଚାକିରି ପ୍ରଦାନ କରିବା ପାଇଁ ବ୍ୟବହାର କରିପାରିବେ ନାହିଁ।

 

 

ସମ୍ବନ୍ଧିତ ଖବର