ଡ୍ରେଜିଂ କର୍ପୋରେସନ୍‌ ଅଂଶଧନ ବିକିବେ ସରକାର

ନୂଆଦିଲ୍ଲୀ: ‌ଡ୍ରେଜିଂ କର୍ପୋରେସନ୍ ଅଫ୍ ଇଣ୍ଡିଆରେ ଥିବା ସମସ୍ତ ଅଂଶଧନକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବିଶାଖାପାଟଣା ପୋର୍ଟ ଟ୍ରଷ୍ଟ୍‌, ପାରାଦୀପ ପୋର୍ଟ ଟ୍ରଷ୍ଟ୍‌, ଜବାହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ୍‌ ଓ କାଣ୍ଡଲା ପୋର୍ଟ ଟ୍ରଷ୍ଟକୁ ନେଇ ଗଠନ କରାଯାଇଥିବା କନ୍‌ସୋର୍ଟି୍ରମ୍‌କୁ ଏହି ସମସ୍ତ ପୁଞ୍ଜି ବିକ୍ରି କରାଯିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଡ୍ରେଜିଂ କର୍ପୋରେସନ୍‌ରେ ସରକାରଙ୍କ ୭୩.୪୪% ଅଂଶଧନ ରହିଛି। ଚାରିଟି ବନ୍ଦରକୁ ଏହି ଅଂଶଧନ ବିକ୍ରି କରିଦେବା ପରେ ଦେଶରେ ଡ୍ରେଜିଂ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ଡ୍ରେଜିଂ କର୍ପୋରେସନ୍ ଓ ବନ୍ଦର କତୃର୍ପକ୍ଷଙ୍କ ମିଳିତ ସହଯୋଗରେ ଡ୍ରେଜିଂ କାମରେ ଆହୁରି ଅଗ୍ରଗତି ହୋଇପାରିବ। ଏହା ଦ୍ବାରା ବନ୍ଦରଗୁଡ଼ିକର ଅନେକ ଅର୍ଥ ସଞ୍ଚୟ ମଧ୍ୟ ହୋଇପାରିବ।

ଅନ୍ୟାନ୍ୟ ନିଷ୍ପତ୍ତି
• ବିଦେଶୀ ତୈଳ କଂପାନି ଦ୍ବାରା କର୍ଣ୍ଣାଟକର ପାଦୁର ପେଟ୍ରୋଲିୟମ ଭଣ୍ଡାର ପୂରଣ କରିବାକୁ ଅନୁମତି
• ଆନ୍ତର୍ଜାତିକ ଇନ୍ଧନ ଏଜେନ୍ସି ଅଧିନରେ ଥିବା ‘ଉନ୍ନତ ମୋଟର ଇନ୍ଧନ ପ୍ରଯୁକ୍ତି ସହଯୋଗ’ କାର୍ଯ୍ୟକ୍ରମର ସଦସ୍ୟ ହେଲା ଭାରତ
• ଘରୋଇ ସରକାରୀ ସହଭାଗିତା (ପିପିପି) ମୋଡ୍‌ରେ ୬ଟି ବିମାନ ବନ୍ଦରକୁ ଲିଜ୍‌ରେ ଦିଆଯିବ

ସମ୍ବନ୍ଧିତ ଖବର