ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନିକୁ ସଂପୂର୍ଣ ବନ୍ଦ କଲେ ଭାରତ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନି ଉପରେ ସଂପୂର୍ଣ କଟକଣା ଲଗାଇଛନ୍ତି । ଦେଶରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବାବେଳେ ଏହି ଔଷଧର ଯେପରି ଅଭାବ ନ ହୁଏ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
କିଛିଦିନ ପୂର୍ବେ ସରକାର ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନିଉପରେ କଟକଣା ଲଗାଇଥିଲେ ମଧ୍ୟ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସଇଜେଡ) ଏବଂ ରପ୍ତାନି ଭିତ୍ତିକୟୁନିଟ୍ (ଇଓୟୁ) ଗୁଡ଼ିକ ଉପରେ ଏହି କଟକଣା ଲାଗୁ କରାଯାଇନଥିଲା । କିନ୍ତୁ ଆଜି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିିଏଫଟି) ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି କଟକଣାର ପରିସରକୁ ବଢାଇଦିଆଯାଇଛି ।

ସାଧାରଣତଃ ଦେଶରେ କୌଣସି ସାମଗ୍ରୀର ରପ୍ତାନି ଉପରେ କଟକଣା ଲଗାଗଲେ ତାହା ଏସଇଜେଡ ଓ ଇଓୟୁଗୁଡ଼ିକ ଉପରେ ଲାଗୁ ହୁଏ ନାହିଁ । କାରଣ ଏସବୁ କ୍ଷେତ୍ରଗୁଡ଼ିକ ସ୍ୱତନ୍ତ୍ରଭାବେ ରପ୍ତାନି ପ୍ରେତ୍ସାହନ ପାଇଁ ଖୋଲାଯାଇଥାଏ । କିନ୍ତୁ ଏଥର କରୋନା ଭାଇରସ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ରଭାବେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନିକୁ ବନ୍ଦ କରିଛନ୍ତି ।

କରୋନା ଭାଇରସ ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନଥିବାବେଳେ କେତେକ ଗୁରୁତର ମାମଲା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ତେବେ ଏହାକୁ ଅତି ଜରୁରି ହେଲେ କେବଳ ଡାକ୍ତରଙ୍କ ପରାମର୍ଶରେ ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଛି ।

ସମ୍ବନ୍ଧିତ ଖବର