ସରକାରଙ୍କ ଟା‌ର୍ଗେଟ୍‌ରେ ଥିବା ସଂସ୍ଥା

ମୋଦୀ ସରକାରଙ୍କ ଅମଳରେ ବିଭିନ୍ନ ସ୍ବୟଂଶାସିତ ସଂସ୍ଥାର ସ୍ବାଧୀନତାକୁ ନେଇ ପ୍ରଶ୍ନ ଉଠିଛି। ଏସବୁ ସଂସ୍ଥାର କାମରେ ସରକାର ହସ୍ତକ୍ଷେପ କରୁଥିବା ଅଭିଯୋଗ ହୋଇଛି। ସଂସ୍ଥାଗୁଡ଼ିକର ସେହି ତାଲିକାରେ ଏବେ କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ସାମିଲ‌ ହୋଇଛି। ମୋଦୀଙ୍କ ଅମଳରେ ସ୍ବାଧୀନତା ହରାଇବା ଭଳି ପରିସ୍ଥିତି ସାମ୍ନା କରିଥିବା ସଂସ୍ଥାଗୁଡ଼ିକ ହେଉଛି:

ସିଏସ୍‌ଓ
ଜିଡିପିର ସଂଶୋଧିତ ତଥ୍ୟ ଜାରି କରିବା ବେଳେ ନିତି ଆୟୋଗର ଉପସ୍ଥିତିକୁ ନେଇ ବିବାଦ ଦେଖାଦେଇଛି। ଏହା କରି ସରକାର କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍‌ଓ)କୁ ଗୌଣ କରିବାକୁ ପ୍ରୟାସ କରିଥିବା ଅଭିଯୋଗ ହେଉଛି।
ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନକୁ ନେଇ ସରକାର ଓ ସୁପ୍ରିମକୋର୍ଟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କଲେଜିୟମ୍ ବ୍ୟବସ୍ଥାରେ ବିଚାରପତି ନିଯୁକ୍ତିକୁ ନେଇ ଏଭଳି ସ୍ଥିତି ଦେଖାଦେଇଥିଲା। ସେହି ସମୟରେ ଅଭିଯୋଗ ହୋଇଥିଲା ଯେ ସୁପ୍ରିମକୋର୍ଟ କାମରେ ସରକାର ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଛନ୍ତି। ବିଚାରପତି କେଏମ୍ ଜୋସେଫ୍‌ଙ୍କ ନିଯୁକ୍ତିକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା।
ସିବିଆଇ
ସିବିଆଇର ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନା ଓ ନିର୍ଦେଶକ ଆଲୋକ ବର୍ମାଙ୍କ ମଧ୍ୟରେ ଦେଖାଦେଇଥିବା ଲଢ଼େଇ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଏହି ବିବାଦ ସରକାର ସୃଷ୍ଟି କରିଥିବା ଅଭିଯୋଗ ହୁଏ। ସିବିଆଇ କାମରେ ସରକାର ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ରିଜର୍ଭ ବ୍ୟାଙ୍କ
ସ୍ବାଧୀନତା ପରେ କେବେ ଲାଗୁ ହୋଇନଥିବା ଧାରା ୭ ଲାଗୁ କରି ରିଜର୍ଭ ବ୍ୟାଙ୍କ ଉପରେ ସରକାର ଚାପ ସୃଷ୍ଟି କରିଥିବା ଅଭିଯୋଗ ହେଉଛି। ରିଜର୍ଭ ବ୍ୟାଙ୍କକୁ ନିଜ ଅନୁସାରେ ପରିଚାଳିତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ସେଥିପାଇଁ ଏହି ସ୍ବାଧୀନ ସଂସ୍ଥାର ଅନେକ ନିୟମ ବଦଳାଇବାକୁ ପ୍ରୟାସ କରାଯାଉଛି।
ନିର୍ବାଚନ କମିସନ
ଗତ ଅକ୍ଟୋବରରେ ଅଭିଯୋଗ ହୋଇଥିଲା ଯେ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶେଷ ହୋଇନଥିବାରୁ ନିର୍ବାଚନ କମିସନ ଡାକିଥିବା ଏକ ସାମ୍ବାଦିକ ସମ୍ମିଳନୀକୁ କିଛି ଘଣ୍ଟା ବିଳମ୍ବ କରିଥିଲେ। ୨୦୧୭ରେ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ବେଳେ ମଧ୍ୟ ନିର୍ବାଚନ କମିସନଙ୍କ ସ୍ବାଧୀନତା ଦେଇ ପ୍ରଶ୍ନ ଉଠିଥିଲା।
କେନ୍ଦ୍ରୀୟ ସୂଚନା କମିସନ
ଆବଶ୍ୟକତା ଠାରୁ କମ୍ କମିସନରଙ୍କୁ ନେଇ କେନ୍ଦ୍ରୀୟ ସୂଚନା କମିସନ କାର୍ଯ୍ୟ କରୁଛି। ଖାଲି ପଡ଼ିଥିବା ପଦବୀ ପୂରଣ କରିବା ପାଇଁ ବହୁତ ବିଳମ୍ବରେ ବିଜ୍ଞାପନ ଦିଆଯାଉଛି। ସୂଚନା ଅଧିକାର ଆଇନରେ ସଂଶୋଧନକୁ ସରକାର ମୌସୁମୀ ଅଧିବେଶନରେ ଏଡ଼ାଇ ଯାଇଥିଲେ।
ୟୁଜିସି
ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ଥାନରେ ଏକ ନୂତନ ନିୟାମକ ସଂସ୍ଥା ଗଠନ କରିବାକୁ ମୋଦୀ ସରକାର ଉଦ୍ୟମ କରିଛନ୍ତି। ଏଥିପାଇଁ ଅଂଶୀଦାରମାନଙ୍କ ମତାମତ ମଧ୍ୟ ଆହ୍ବାନ କରିଥିଲେ।

ସମ୍ବନ୍ଧିତ ଖବର